ନିଆଁ ଲାଗି ମାଆ, ଝିଅ, ପୁଅ ଓ ନାତୁଣୀ ଆହତ ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଗିରଫ

ପୁଅ କରିଥିଲା ହତ୍ୟା ଉଦ୍ୟମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ଥାନା ଅନ୍ତର୍ଗତ ହରିଓଁ ବିହାରର ଏକ ଘରେ ଗତ ୧୧ ତାରିଖରେ ନିଆଁ ଲାଗି ମାଆ, ପୁଅ, ଝିଅ ଓ ନାତୁଣୀ ଆହତ ହେବା ଘଟଣାର ପୁଲିସ ଆଜି ପର୍ଦ୍ଦାଫାସ କରିଛି। ଏହା କୌଣସି ଅଘଟଣ ନଥିଲା ବରଂ ସାନ ପୁଅ ରବୀନ୍ଦ୍ର ସିଂ ଓ ତା’ର ୨ ଜଣ ସହଯୋଗୀ ସହ ମିଶି ବଡ଼ ବାଇ, ମା, ଭଉଣୀ ଓ ଭାଣିଜୀକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ସେମାନେ ଶୋଇଥିବାବେଳେ ଘର ଭିତରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣକରିଛି। ଗିରଫ ଅଭିକ୍ତମାନେ ରବୀନ୍ଦ୍ର ସିଂ(୩୦), ବ୍ଲେସନ ତାଣ୍ଡି(୧୯) ଓ ଜଣେ ନାବାଳକ ଥିବା ଜିଲ୍ଲା ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ରବୀନ୍ଦ୍ର ପ୍ରେମବିବାହ କରିଥିବାରୁ ପରିବାର ଲୋକେ ତାଙ୍କ ସ୍ତ୍ରୀକୁ ଗ୍ରହଣ କରୁନଥିଲେ। ରବୀନ୍ଦ୍ର ନିଜ ସ୍ତ୍ରୀକୁ କୋଲକାତାରୁ ହରିଓଁ ବିହାରର ଘରକୁ ଆଣିବା ପାଇଁ ବହୁଥର ଚେଷ୍ଟା କରିଥିଲେ ହେଁ ପରିବାର ଲୋକେ ଏଥିରେ ବାଧା ଦେଉଥିଲେ। ତେବେ ଏହି ଘଟଣାକୁ ନେଇ ଗତ ୧୦/୧୧ ତାରିଖରେ ପରିବାର ଲୋକଙ୍କସହ ପୁଣି ଝଗଡା ହୋଇଥିଲା। ଏଥିରେ ସେ ଉତ୍ୟକ୍ତ ହୋଇ ସମସ୍ତଙ୍କୁ ନିଜ ରସ୍ତାରୁ ସବୁଦିନ ପାଇଁ ହଟାଇ ଦେବାପାଇଁ ତାଙ୍କ ମାଆ ବଲଜିତ କୌର(୬୧), ଭାଇ ରାଜେନ୍ଦ୍ର ସିଂ (୩୨), ଭଉଣୀ ମଞ୍ଜିତ କୌର(୩୬), ଭାଣଜୀ ଇସ୍ମିତ କୌର(୭) ଘରେ ଶୋଇଥିବାବେଳେ ଘରେ ନିଆଁ ଲଗାଇଦେଇ ଫେରାର ହୋଇଯାଇଥିଲା। ତେବେ ସ୍ଥାନୀୟଲୋକେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଓ ସେଠାରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରିଥିଲେ। ଅନ୍ୟପଟେ ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ର ଦାସ, ଝାରସୁଗୁଡା ଏସଡିପିଓ କୈଳାସ ଆଚାର୍ଯ୍ୟ, ବ୍ରଜରାଜନଗର ଥାନା ଅଧିକାରୀ ନଳିତା ମୋଦୀ, ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିବାସହ ଆଜି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।