ବିଜୁ ଛାତ୍ର ଜନତାଦଳ ଜିଲ୍ଲା ଉପସଭାପତି ଏବଂ ତାଙ୍କ ମା’ଙ୍କୁ ସଂଘବଦ୍ଧ ଆକ୍ରମଣ, ୪ ଗିରଫ

ବାରିପଦା, ଏନ୍ଏନ୍ଏସ୍: ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ଉପସଭାପତି ଅମିତ କୁମାର ବୈଠା ଏବଂ ତାଙ୍କ ମା’ ସୌଭାଗିନୀ ବୈଠା(୪୯)ଙ୍କୁ ଘରେ ପଶି ଗତକାଲି ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଏହି ଘଟଣା ସମ୍ପର୍କରେ ବାରିପଦା ଟାଉନ୍ ଥାନାରେ ଅଭିଯୋଗ ହେବାପରେ ପୁଲିସ୍ ୩ଜଣଙ୍କୁ ଗିରଫ କରିଛି। ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ନାବାଳକଙ୍କୁ ଅନୁଗୁଳସ୍ଥିତ ଜୁଭେନାଇଲ୍ ହୋମକୁ ପଠାଯାଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାରିପଦା ୱାର୍ଡ ନଂ-୧୮ ଭଞ୍ଜପୁରର ରାଜା ସିଂ(୧୯) ଓରଫ୍ ଅଙ୍ଗୁର, ୱାର୍ଡ ନଂ-୨୪ କାଳିକାପୁରର ପବନା ମୁଖୀ(୨୪) ଏବଂ ବାରୁଦ ମୁଖୀ(୨୬)। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଣାଶୁଣା ଅପରାଧୀ ହିମାଶୁଂ ରାମ ଓରଫ୍ ଜନ୍ଦା ଫେରାର୍ ଅଛି। ପୁଲିସ୍ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।