ଯୁବକଙ୍କ ଗୋଡ଼ରେ ଘା’, ପୋକ ସାଲୁବାଲୁ ଅବସ୍ଥାରେ ଦୋକାନ ବାରଣ୍ଡାରେ ବିତୁଛି ଜୀବନ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଡ଼ୁକୁରା ଅଞ୍ଚଳରୁ ବୁଦ୍ଧିଆ ବିନ୍ଧାଣି ନାମକ ଜଣେ ଯୁବକ କାମଧନ୍ଦା ଅନ୍ୱେଷଣରେ ବାରିପଦା ସହରକୁ ଆସି ଦିନ ମଜୁରୀଆ ଭାବେ କାମକରୁଥିଲେ। ରାତି ହେଲେ ସହରର ଦୋକାନ ବାରଣ୍ଡାରେ ବିଶ୍ରାମ ନେଉଥିଲେ। ଆଜକୁ ପ୍ରାୟ ୧୪ ଦିନ ହେବ କୌଣସି କାରଣରୁ ଡ଼ାହାଣ ଗୋଡ଼ ପାଦର ଉପ ଭାଗରେ ଆଘାତ ଲାଗି ଖଣ୍ଡିଆ ହୋଇଯାଇଥିଲା। ତାହା ସଂକ୍ରମଣ ହୋଇ ଘା’ ହୋଇଯାଇଛି। ଗୋଡ଼ରେ ପୋକ ସାଲୁବାଲୁ ହେବାରେ ଲାଗିଛି। ହସ୍ପିଟାଲ ଯାଇ ଚିକିତ୍ସା ହୋଇଥିଲେ ମଧ୍ୟ ଘା ଶୁଖୁନାହିଁ। ଏବେ କାମଧନ୍ଦା କରିନପାରିବାରୁ ବାରିପଦା ସହରର ଲାଲବଜାର ଅନ୍ଧ୍ରବ୍ୟାଙ୍କ ଗଳିରେ ଭିକ ମାଗୁଥିବା ଦେଖିବାକୁ ମିଳିଥିଲା। ଏଣୁ ଏହି ଅସହାୟ ଯୁବକଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଗଲେ ହୁଏତ ତା’ର ଜୀବନ ରକ୍ଷା ହୋଇପାରିବ ବୋଲି କୁହାଯାଉଛି। ତେଣୁ ଜିଲ୍ଲା ପ୍ରଶାସନ ଅଥବା କୌଣସି ସ୍ୱେଚ୍ଛାସେବୀ ସଂସ୍ଥା ଯୁବକଙ୍କ ଦାୟିତ୍ୱ ନେଇ ଚିକିତ୍ସାର ସୁବ୍ୟବସ୍ଥା ଯୋଗାଇ ଦେବା ନିମନ୍ତେ ଜନସାଧାରଣ ଅନୁରୋଧ କରିଛନ୍ତି।