ପଶ୍ଚିମବଙ୍ଗରୁ ୪୨୬ଙ୍କୁ ମିଶାଇ ଜିଲ୍ଲାକୁ ଫେରିଲେଣି ୧,୨୦୩ ପ୍ରବାସୀ

ବାରିପଦା,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବାସୀଙ୍କ ଫେରିବା ଜାରି ରହିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ମୋଟ୍ ୧,୨୦୩ଜଣ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ସର୍ବାଧିକ ୪୨୬ ଫେରନ୍ତା ଥିବାବେଳେ ତେଲେଙ୍ଗାନାରୁ ୧୨୭, କର୍ଣ୍ଣାଟକରୁ ୯୯, ତାମିଲନାଡ଼ୁରୁ ୯୧ ଜଣ, ଆନ୍ଧ୍ରପ୍ରଦେଶରୁ ୮୪ ଜଣଙ୍କୁ ମିଶାଇ ୨୨ଟି ରାଜ୍ୟରୁ ମୋଟ ୧,୨୦୩ ଜଣ ପ୍ରବାସୀ ମୟୂରଭଞ୍ଜ ଜିଲ୍ଲାକୁ ଫେରିଆସିବା ପରେ ସମସ୍ତଙ୍କୁ ଘରୋଇ ସଙ୍ଗରୋଧ ଓ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୦୨ ଜଣ ପ୍ରବାସୀ ରହିଥିବା ବେଳେ ୧୭୯ ଜଣ ସଙ୍ଗରୋଧ ମିଆଦ ପୂରଣ କରି ଘରକୁ ଫେରି ଯାଇଛନ୍ତି। ଅବଶିଷ୍ଟ ୯୨୨ ଜଣ ଘରୋଇ ସଙ୍ଗରୋଧରେ ରହିଛନ୍ତି ବୋଲି ପିଡି ଡ଼ିଆରଡିଏ ଭବେଶ କୁମାର ନାୟକ ପ୍ରକାଶ କରିଛନ୍ତି।