ମିଥ୍ୟା ସତ୍ୟପାଠ: କୁଳିଅଣା ପଞ୍ଚାୟତ ସମିତି ସଦସ୍ୟଙ୍କ ପଦ ରଦ୍ଦ

ବାରିପଦା,ଏନ୍ଏନ୍ଏସ୍: ଗତ ପଞ୍ଚାୟତ ନିର୍ବାଚନରେ କୁଳିଅଣା ପଞ୍ଚାୟତ ସମିତି ସଦସ୍ୟ କୃଷ୍ଣଚନ୍ଦ୍ର ନାଏକଙ୍କ ମିଥ୍ୟା ସତ୍ୟପାଠ ମହଙ୍ଗା ସାବ୍ୟସ୍ତ ହୋଇଛି। ଆଜି ଜିଲ୍ଲା ଓ ଦୌରାଜଜ ଏସ୍ ଆର ବହିଦାର ମିଥ୍ୟା ସତ୍ୟପାଠ ଦାଖଲ ସମ୍ପର୍କୀତ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ମାମଲାର ଶୁଣାଣି କରି କୁଳିଅଣା ପଞ୍ଚାୟତ ସମିତି ସଦସ୍ୟ ତଥା କୁଳିଅଣା ଥାନା ସାନଜୁଣବଣି ଗ୍ରାମର କୃଷ୍ଣ ଚନ୍ଦ୍ର ନାଏକ(୩୭)ଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କର ପଞ୍ଚାୟତ ସମିତି ସଦସ୍ୟ ପଦକୁ ରଦ୍ଦ କରିଛନ୍ତି। ଏଥିସହିତ ଆଇପିସି ଧାରା ୧୭୬ରେ ୫ ଶହ ଟଙ୍କା ଫାଇନ ଓ ଏକମାସ କାରାଦଣ୍ଡ, ଧାରା ୧୭୭ ଅନୁସାରେ ୨ ମାସ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା, ଧାରା ୪୨୦ ଅନୁସାରେ ୧ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ କୃଷ୍ଣ ନାଏକ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗାଙ୍ଗରାଜ ପଞ୍ଚାୟତରୁ ନିର୍ବାଚନ ଲଢ଼ି କୁଳିଅଣା ପଞ୍ଚାୟତ ସମିତିକୁ ନିର୍ବାଚିତ ହୋଇଥିଲେ ଏବଂ ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ। ତାଙ୍କର ନିିକଟତମ ପ୍ରତିଦ୍ୱନ୍ଦି ଆନିଆପାଳ ପଞ୍ଚାୟତର ଦରଖୁଳି ଗ୍ରାମର ଗାୟତ୍ରୀ ଦତ୍ତ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ବିଷୟକୁ ନେଇ ପଞ୍ଚାୟତ ସମିତି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଅଦାଲତରେ ମାମଲା ରୁଜୁ ହୋଇଥିଲା। ଆଜି ଉକ୍ତ ମାମଲାରେ ସମସ୍ତ ସାକ୍ଷ୍ୟ ଓ ପ୍ରମାଣପତ୍ରକୁ ଭିତ୍ତିକରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା। ପ୍ରକାଶ ଥାଉକି, ପୂର୍ବରୁ ଏକ ମାମଲାରେ କୃଷ୍ଣଚନ୍ଦ୍ର ନାଏକଙ୍କର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଚାଲି ଯାଇଥିବାବେଳେ ଆଜି ପଞ୍ଚାୟତ ସମିତି ସଦସ୍ୟ ପଦବି ମଧ୍ୟ ଚାଲିଯାଇଛି।