ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ଅଭିଯୋଗ

ବରଗଡ଼,ଏନ୍ଏନ୍ଏସ୍: ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାରୀ ଆଇନ ଦ୍ୱାରା ଏନେଇ ତଥ୍ୟ ହାସଲ ପରେ ଘଟଣା ସମ୍ପର୍କରେ ଜଣାପଡ଼ିଛି । କୋଭିଡ -୧୯ ସମୟରେ ମୃତ ହିତାଧିକାରୀଙ୍କ ନାମରେ ରାସନକାର୍ଡ ପିଛା ଅଗ୍ରୀମ ୩ ମାସର ଚାଉଳ, ଡାଲି ଓ ହଜାରେ ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି। କରୋନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ତଥା ଗରିବ ଜନସାଧାରଣଙ୍କୁ ରାସନ କାର୍ଡ ମାଧ୍ୟମରେ ଚାଉଳ, ଡାଲି ଓ ହଜାରେ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଥିବାବେଳେ ବିଭିନ୍ନ କ୍ଷେତ୍ରରେ ମୃତ ହିତାଧିକାରୀଙ୍କ ନାମରେ ସାମଗ୍ରୀ ଉଠାଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବିଜେପୁର ବ୍ଲକ ପର୍ଥଲା ଗ୍ରାମର ଶ୍ରୀକାନ୍ତ ମିଶ୍ର ସୂଚନା ଅଧିକାର ଆଇନ ବଳରେ ବ୍ଲକ ପ୍ରଶାସନକୁ ରାସନକାର୍ଡ ହିତାଧିକାରୀଙ୍କ ତଥ୍ୟ ମାଗିବା ପରେ ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ଉଠାଣ ଘଟଣା ଜଣାପଡ଼ିଥିଲା। ବିଜେପୁର ବ୍ଲକରେ ପାଖାପାଖି ୨୫ ହଜାର ରାସନକାର୍ଡ ହିତାଧିକାରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଗଣ୍ଠିଆପାଲି, ପର୍ଥଲା, ଲାଉମୁଣ୍ଡା ପଞ୍ଚାୟତରୁ ପ୍ରାୟ ୨୦ଜଣ ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡ଼ପ ହୋଇଛି। ତେଣୁ ଏନେଇ ଶ୍ରୀ ମିଶ୍ର ବରଗଡ଼ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି।