ବରଗଡ଼,ଏନ୍ଏନ୍ଏସ୍: ଲକଡାଉନ ଯୋଗୁ ସବୁବର୍ଗର ଲୋକେ ପ୍ରଭାବିତ ହୋଇଥିବା ବେଳେ ଦିବ୍ୟାଙ୍ଗମାନେ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ବରଗଡ଼ ଜିଲ୍ଲାରେ ରହୁଥିବା ଦିବ୍ୟାଙ୍ଗମାନେ ଲକଡାଉନ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଜିଲ୍ଲାର ଦିବ୍ୟାଙ୍ଗମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଉତ୍କଳମଣୀ ଗୋପବନ୍ଧୁ ଭିନ୍ନକ୍ଷମ ସଂଘ ଦାବୀ କରିଛି । ଏନେଇ ସଂଘ ତରଫରୁ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ ସ୍ମାରକପତ୍ରରେ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଆର୍ଥିକ ସହାୟତା ରାଶି ଶୀଘ୍ର କାର୍ଯ୍ୟକାରୀ କରାଯିବା ସହ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ନିବେଦନ କରାଯାଇଛି। ସଂଘର ସଂପାଦକ କମଲ ସାହୁଙ୍କ ନେତୃତ୍ୱରେ ଯୋଗେନ୍ଦ୍ର କଠାର, ଫିରୋଜ ଚିରଗୁନ, ବସନ୍ତ ଭୋଇ, ମଧୁସୂଦନ ବାଗ, ସାନ ମେହେର, ମିନକେତନ ଗଡ଼ତିଆ, ଫକୀର ମହାନନ୍ଦ, କପିଳ ସୁନା, ଉମାକାନ୍ତ ବେହେରା ଓ ସୁମନ୍ତ ପ୍ରଧାନ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ।