ଜାତୀୟ ରାଜପଥ ଉପରେ ବେଆଇନ ଟ୍ରକ ପାର୍କିଂକୁ ନେଇ ପୁଲିସର ଦ୍ୱାରସ୍ଥ ହେଲା ବରଗଡ଼ ବିଜେପି

ବରଗଡ଼,ଏନ୍‌ଏନ୍‌ଏସ୍‌: ବରଗଡ଼ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ହଲଦୀପାଲି ଛକରେ ବେଆଇନ ଭାବେ ଟ୍ରକ ପାର୍କିଂ କରାଯିବା ଘଟଣାକୁ ନେଇ ଜିଲ୍ଲା ବିଜେପି କର୍ମକର୍ତ୍ତାମାନେ ଆଜି ବରଗଡ଼ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସହର ଉପକଣ୍ଠରେ ଥିବା ହଲଦୀପାଲି ଛକରେ ୫୩ ନମ୍ବର ଜାତୀୟ ରାଜପଥ ସହ ବରଗଡ଼-ବଲାଙ୍ଗିର ରାଜ୍ୟ ରାଜପଥ ସଂଯୋଗ ହୋଇଛି । ଏଠାରେ ସବୁବେଳେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ବଡ଼ ବଡ଼ କଣ୍ଟେନର ଏବଂ ଟ୍ରକ ଗୁଡ଼ିକ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହୁଛି । ଏଥିପାଇଁ ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ହୋଇ ଅନେକ ଧନ ଜୀବନ ହାନି ହେଉଛି । ଘଟଣାକୁ ନେଇ ବିଜେପି ପକ୍ଷରୁ ଆଗରୁ ବହୁବାର ଜିଲ୍ଲା ପରିବହନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେଣୁ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସମେତ ବହୁ କର୍ମକର୍ତ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବରଗଡ଼ ପୁଲିସ ପକ୍ଷରୁ ଏପରି ବେଆଇନ ପାର୍କିଂ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପିର ରବି ନାରାୟଣ ପଣ୍ଡା, ପ୍ରୀତମ ସିଂ, ଉର୍କୁଲୁ ତାଣ୍ଡି ଓ ଅନ୍ୟମାନେ ଉପସ୍ଥିତ ରହି ଟାଉନ ଥାନାଧିକାରୀ ସତ୍ୟଜିତ କାଣ୍ଡେଲକରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।