ପଞ୍ଚଭୂତରେ ଲୀନ ହେଲେ ବିଏସଏଫ ଯବାନ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗଡତିଆଟିକ୍ରା ଗ୍ରାମର ବିଏସଏଫ ଯବାନ ଯଦୁମଣୀ ଭୁଏ (୩୩)ଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଯାଇଛି। ଗତ ଶୁକ୍ରବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଜମ୍ମୁରେ ଦେହାନ୍ତ ହୋଇଥିଲା। ଶନିବାର ରାତିରେ ପାର୍ଥୀବ ଶରୀର ଭୁବନେଶ୍ୱରରେ ପହଞ୍ଚିଥିଲା। ଜମ୍ମୁ ବାଟାଲିୟନର ଏଏସଆଇ/ରିଜଓନାଲ ଅଫିସର ସମୀର କୁମାର ମରଶରୀର ସହିତ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାପରେ ଓଡ଼ିଶା ବିଏସଏଫ ତରଫରୁ ଗାର୍ଡ଼ ଅଫ ଅନର ପ୍ରଦାନ ପୂର୍ବକ ଶବକୁ ଗ୍ରହଣ କରି ଅତାବିରା ଅଣାଯାଇଥିଲା। ରବିବାର ସକାଳୁ ତାଙ୍କ ମରଶରୀରକୁ ଅତାବିରାସ୍ଥିତ ଆନନ୍ଦ କଲ୍ୟାଣ ମଣ୍ଡପକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଗଡତିଆଟିକ୍ରାକୁ ନିଆଯାଇ ଗାଁ ପଡିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।।ଙ୍କ ପୁତୁରା ମୁଖାଗି ଦେଇଥିଲେ । ବିଏସଏଫ ଯବାନ ଯଦୁମଣୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରଗଡ଼ ପୁଲିସ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ବରଗଡ଼ ଜିଲ୍ଲାପାଲ ଜ୍ୟୋତିରଞ୍ଜନ ପ୍ରଧାନ ଶେଷ ଦର୍ଶନ କରିଥିଲେ। ସେହିପରି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଡନସେନା, ଏସଡିପିଓ ସୁଧାକର ସାହୁ, ତହସିଲଦାର ହୃଦାନନ୍ଦ ଅଢ଼ା, ଥାନା ଅଧିକାରୀ ପୁୁରୁଷୋତ୍ତମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।