ବରଗଡ଼,ଏନ୍ଏନ୍ଏସ୍: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଉଦଘାଟିତ ହେବ। ୧୧ ଦିନ ଧରି ପାଳିତ ହେଉଥିବା ଏହି ଧନୁଯାତ୍ରା ପାଇଁ ବରଗଡ଼ ସହର ଚଳଚଞ୍ଚଳ ହୋଇପଡିଛି। ସହରସାରା ଉଜ୍ଜଳ ଆଲୋକମାଳାରେ ସଜ୍ଜିତ କରାଯାଇଛି ଧନୁଯାତ୍ରା ପାଇଁ। ସେହିପରି ସହରର ବିଭିନ୍ନ କାନ୍ଥରେ ଐତିହାସିକ ତଥା ପୌରାଣିକ ଚିତ୍ରଗୁଡ଼ିକ ସ୍ଥାନୀତ କରାଯାଇଛି। ମଙ୍ଗଳବାର ଅପରାହ୍ନ ୨ ଟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଶ୍ୱରୀ ଠାରେ ପହଞ୍ଚିବ। ସେଠାରେ ଯାତ୍ରାର ସଫଳତା ନେଇ ପୂଜାର୍ଚ୍ଚନା କରାଯିବାପରେ ସେହି ଶୋଭାଯାତ୍ରା ହାଟପଦାସ୍ଥିତ ରାଜଦରବାରକୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
ଶୋଭାଯାତ୍ରା ରାଜଦରବାରରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବରେ ୭୧ ତମ ବରଗଡ଼ ଧନୁଯାତ୍ରା ଉଦଘାଟି୍ତ ହେବ। ପରମ୍ପରା ଅନୁସାରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପେକ୍ଷୀରେ ମଙ୍ଗଳବାର ଲୋକସଭା ସାଂସଦ ସିଂ, ରାଜ୍ୟସଭା ସାଂସଦ ଆଚାର୍ଯ୍ୟ ଏବଂ ବିଧାୟକ ଆଚାର୍ଯ୍ୟ ଯୋଗଦେଇ ୭୧ ତମ ଧନୁଯାତ୍ରାକୁ ଉଦଘାଟନ କରିବେ ବୋଲି ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଜଣାଇଥିବା ବେଳେ ଜିଲ୍ଲାର ସମସ୍ତ ବିଧାୟକ ତଥା ମନ୍ତ୍ରୀଙ୍କୁ ଧନୁଯାତ୍ରା ପାଇଁ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି।
ଧନୁଯାତ୍ରା ଅବସରରେ ବରଗଡ଼ ସହର ମଥୁରା ନଗରୀ, ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ପୁରାଣ ବର୍ଣ୍ଣିତ ଯମୁନା ନଦୀ ଭାବରେ ରୂପାନ୍ତରିତ ହୋଇଯାଉଥିବା ବେଳେ ସହର ସମସ୍ତ ଜନସାଧାରଣ ମଥୁରା ନଗରୀର ଜଣେ ଜଣେ ପ୍ରଜା ଭାବରେ ପରିଗଣିତ ହୋଇଥାନ୍ତି। ବରଗଡ଼ ସହର ସାତ କିଲୋମିଟର ପରିଧି ମଧ୍ୟରେ ଭିନ୍ନ ଭିନ୍ନ ୧୪ ଟି ମୁକ୍ତାକାଶ ମଞ୍ଚରେ ଅଭିନୀତ ହେଉଥିବା ବେଳେ ହାଟପଦାଠାରେ ମହାରାଜା କଂସଙ୍କ ସୁଉଚ୍ଚ ରାଜଦରବାର କାର୍ଯ୍ୟ ଶେଷ ହୋଇଯାଇଛି। ଅନୁରୂପ ଭାବେ ଲୋକ ମଣ୍ଡପ ପଡ଼ିଆଠାରେ ଚାଲିଥିବା ମହାରାଜା କଂସଙ୍କ ରଙ୍ଗମହଲ ଏବଂ ଗୋପପୁରରେ ନନ୍ଦ ଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚଛି।
ଚଳିତବର୍ଷ ମହାରାଜା କଂସଙ୍କ ରାଜ ଦରବାରର ଉଚ୍ଚତା ୬୦ ଫୁଟ ଥିବା ଚଉଡା ପ୍ରାୟ ୧୦୦ ଫୁଟ ରହିଥିବାର ଜଣାପଡ଼ିଛି। ସେହିପରି ଚଳିତବର୍ଷ ପ୍ରାୟ ରାଜ୍ୟ ତଥା ରାଜ୍ୟ ବାହାରର ଶହେରୁ ଊଦ୍ଧ୍ୱର୍ ନୃତ୍ୟ ଦଳ ବିଭିନ୍ନ ଦିନରେ ରାଜଦରବାର, ରଙ୍ଗମହଲ ତଥା ନନ୍ଦଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଚୂଡ଼ାନ୍ତ ହୋଇଛି। ତେବେ ଯାତ୍ରାପାଇଁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚଥିବା ବେଳେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ତୋରଣ ଲଗାଯାଇଛି। ଅନ୍ୟପକ୍ଷରେ ଜଜ୍ ହାଇସ୍କୁଲ ପଡ଼ିଆରେ ମଧ୍ୟ ମୀନାବଜାର ତଥା ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର ଖୋଲିଛି।
ଚଳିତବର୍ଷ ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନ ପଞ୍ଚମ ଥରପାଇଁ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ସେହିପରି କୃଷ୍ଣ ବଳରାମ ଭୂମିକାରେ ଅଭିନୟ କରୁଥିବା ଆୟୁଷ ବିର୍ତିଆ ଏବଂ ଆଶୁତୋଷ କୁମାର ବିର୍ତିଆଙ୍କ ସମେତ ରାଧା ଶ୍ରେୟାଂଶୀ ମହାପାତ୍ର ଅଭିନୟ କରୁଛନ୍ତି। ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୧ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୧୦ ତାରିଖରେ ଉଦ୍ୟାପିତ ହେବ। ୧୧ ଦିନ ଅନୁଷ୍ଠିତ ହେଉଥିବା ଏହି ଧନୁଯାତ୍ରାରେ କୃଷ୍ଣ ଜନ୍ମ ଠାରୁ କଂସ ବଧ ପର୍ଯ୍ୟନ୍ତ ବିଭିନ୍ନ ଦୃଶ୍ୟ ଖୋଲାମଞ୍ଚରେ ଅଭିନୀତ ହୋଇଥାଏ। ଶନିବାର ଯାତ୍ରାର ଉଦ୍ଘାଟନୀ ସନ୍ଧ୍ୟାରେ ଉଗ୍ରସେନଙ୍କ ନିର୍ଦ୍ଦେଶରେ ଦେବକୀ ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ ତଥା ଦେବକୀ-ବସୁଦେବଙ୍କୁ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ହେବ।
ତେବେ ବରଗଡ଼ ଧନୁଯାତ୍ରାର କୌଣସି ପାଣ୍ଡୁଲିପି ନଥିବା ବେଳେ ମହାଭାରତ, ହରିବଂଶ ପୁରାଣ, ଶ୍ରୀମଦ୍ ଭାଗବତଗୀତା ଆଦିର ପୌରାଣିକ କଥାବସ୍ତୁକୁ ଆଧାର କରି ବରଗଡ଼ ଧନୁଯାତ୍ରାର ବିଭିନ୍ନ ଦୃଶ୍ୟ ଅଭିନୀତ ହୋଇଥାଏ ବୋଲି ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରା କହିଛନ୍ତି। ସେହିପରି ଚଳିତବର୍ଷ ବରଗଡ଼ ଧୁନଯାତ୍ରାର ଅନ୍ୟାନ୍ୟ ଭୂମିକାରେ ମହାମନ୍ତ୍ରୀ ଅକୃର ଲଳିତ ମୋହନ ପଣ୍ଡା, ଉଗ୍ରସେନ ଆର୍ତ୍ତତ୍ରାଣ ମହାପାତ୍ର, ମହାମନ୍ତ୍ରୀ ଶକ୍ରାଜିତ ପ୍ରଦୀପ କୁମାର ପଣ୍ଡା, ଗର୍ଗ ମୁନି ଅଇଁଠୁ ସାହୁ , ମହାମନ୍ତ୍ରୀ ଅନାଧୃଷ୍ଟ ନନ୍ଦିଘୋଷ ମହାପାତ୍ର, ସେନାପତି ହଂସଧ୍ୱଜ ବୃନ୍ଦାବନ ପ୍ରଧାନ, ସେନାପତି ପ୍ରଦ୍ୟୁତ୍ ଗୋଲାପ ଚନ୍ଦ୍ର ଦାଶ, ଚାଣ୍ଡୁର ଶମ୍ବୁ ଗୁରୁ, ମୁଷ୍ଟିକ ମୁନେଷ ଚନ୍ଦ୍ର ଆଚାର୍ଯ୍ୟ, ନାରଦ ଜଗନ୍ନାଥ ସାହୁ, ବସୁଦେବ ଗୋବିନ୍ଦ୍ର ଚନ୍ଦ୍ର ଦାଶ, ଦେବକୀ ଭାରତୀ କର୍ଣ୍ଣ ପ୍ରମୁଖ ଅଭିନୟ କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ଯାତ୍ରାରେ ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।