ପ୍ରଥମଥର ଲାଗି +୨ ପ୍ରଶ୍ନପତ୍ର ପ୍ୟାକେଟରେ ରହିବ ବାର୍ କୋଡ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦ ଯୁକ୍ତଦୁଇ ପରୀକ୍ଷା ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ। ବିଜ୍ଞାନ ଏବଂ ଧନ୍ଦାମୂଳକ ଷ୍ଟ୍ରିମର ପ୍ରାକ୍ଟିକାଲ ହେବା ପରେ ମାର୍ଚ୍ଚ ପ୍ରଥମ ସପ୍ତହରେ +୨ ଥିଓରୀ ପରୀକ୍ଷା ହେବ। ତେବେ ଉଭୟ ପ୍ରାକ୍ଟିକାଲ ଏବଂ ଥିଓରୀ ପ୍ରଶ୍ନପତ୍ର ସୁରକ୍ଷା ଲାଗି ପ୍ରଥମଥର ଲାଗି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। +୨ ପ୍ରଶ୍ନପତ୍ରରେ ବାରକୋର୍ଡ ବ୍ୟବସ୍ଥା କରାଯିବ। ବାରକୋଡ ମାଧ୍ୟମରେ ପ୍ରଶ୍ନପତ୍ର କେଉଁ ଜିଲ୍ଲାର କେଉଁ କଲେଜକୁ ପଠାଯାଇଛି ତାହା ଜଣାପଡ଼ିବ।

ଗତକିଛି ବର୍ଷ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ଚିନ୍ତା ବଢ଼ାଇଥିବା ବେଳେ ଏହି ବ୍ୟବସ୍ଥା ଦ୍ୱାରା ପ୍ରଶ୍ନପତ୍ର ଲିକ୍ ହେବା ସହ କେଉଁ କଲେଜରୁ ଭାଇରାଲ ହେବ ତାହା ଜଣାପଡ଼ିବ। ଏପରିକି ସମ୍ପୃକ୍ତ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରର କେଉଁ କ୍ଲାସରୁମ୍ ସମେତ କେଉଁ ପରୀକ୍ଷାର୍ଥୀକୁ ଦିଆଯାଇଥିଲା ତାହା ମଧ୍ୟ ଜଣାପଡ଼ିବ। ଫଳରେ ପ୍ରଶ୍ନପତ୍ର ଭାଇରାଲରେ ରୋକ୍ ଲଗାଇବାରେ ଏହି ବ୍ୟବସ୍ଥା ସର୍ବାଧିକ ସହାୟକ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି।

ପ୍ରକାଶଥାଉ କି, ଚଳିତବର୍ଷ ପ୍ରାୟ ସାଢ଼େତିନି ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆଣିବା ଲାଗି ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରକି କପି ରୋକିବା ଏବଂ ପ୍ରଶ୍ନପତ୍ର ଚୋରି ସମେତ ପରୀକ୍ଷା ଚାଲିଥିବା ସମୟରେ ଭାଇରାଲ ଯେପରି ନହେବ ସେଥିଲାଗି ମଧ୍ୟ ନଜର ଦେବାକୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ପରୀକ୍ଷା ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଛି।

ପ୍ରଥମ ଥର ଲାଗି ହବ୍ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବା, ସେଠାରୁ ପରୀକ୍ଷାକେନ୍ଦ୍ରକୁ ପ୍ରଶ୍ନପତ୍ର ନେବା, ପରୀକ୍ଷା ଦିନ ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବା ଏବଂ ଶ୍ରେଣୀରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବାଣ୍ଟିବା ପର୍ଯ୍ୟନ୍ତ ସବୁ ସ୍ତରରେ କଡ଼ାକଡ଼ି ବ୍ୟବସ୍ଥା ଲାଗୁ କରାଯିବ। ପ୍ରଶ୍ନପତ୍ର ପ୍ୟାକେଟରେ ବାରକୋଡ ରହିବ। ରାଜ୍ୟରେ ପ୍ରାୟ ୨୬୦ଟି ହବ୍ କେନ୍ଦ୍ରର ହେବାର ଯୋଜନା ରହିଥିବା ବେଳେ ଏଥର ସବୁ ହବ୍ କେନ୍ଦ୍ରର ତାଲିକା କରାଯାଇ ସେହି ନମ୍ବରକୁ ବାରକୋଡ ସହ ସଂଯୋଗ କରାଯିବ।

ସେହିପରି ବାରକୋଡ ସହ ପରୀକ୍ଷାକେନ୍ଦ୍ର ମଧ୍ୟ ଲିଙ୍କ କରାଯିବ। ପ୍ରଶ୍ନପତ୍ର ପ୍ୟାକେଟ୍ରେ ବାରକୋଡ ଏବଂ ସିରିଏଲ୍ ନମ୍ବର ରହିବ। ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯିବା ପରେ କେଉଁ ସେଥିରୁ କେଉଁ ପ୍ରଶ୍ନପତ୍ର କଲେଜର କେଉଁ ଶ୍ରେଣୀକୁ ଯିବ ତାହାର ଲିଙ୍କ ମଧ୍ୟ କରାଯିବ। ଶ୍ରେଣୀରେ ପ୍ରଶ୍ନପତ୍ର ଏବଂ ପରୀକ୍ଷାର୍ଥୀଙ୍କ ରୋଲନମ୍ବର ସଂଯଗେ କରାଯିବ। ଫଳରେ କେଉଁ ରୋଲ୍ ନମ୍ବରକୁ କେଉଁ ପ୍ୟାକେଟର ପ୍ରଶ୍ନପତ୍ର ଦିଆଯିବ ତା’ର ସମ୍ପୂର୍ଣ୍ଣ ତଥ୍ୟ ଲିଙ୍କ୍ ମାଧ୍ୟମରେ ରଖାଯିବ।

ଏଥିପାଇଁ ଏକ ଟେକ୍ନିକାଲ ଟିମ୍ ଗଣଶିକ୍ଷା ବିଭାଗ ,+୨ ପରିଷଦ କିମ୍ବା ଓକାକ୍ରେ ରହିବେ ତାହା ନିଷ୍ପତ୍ତି ହେବ। ପରୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ଏହି ଟିମ୍ ସଜାଗ ରହିବେ। ଯଦି କୌଣସି ମୁହୂର୍ତ୍ତରେ ପ୍ରଶ୍ନପତ୍ର ଲିକ୍ ହୁଏ କିମ୍ବା ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନପତ୍ର ଫଟୋଉଠାଇ ଭାଇରାଲ କରାଯାଏ ତେବେ ୧୫ମିନିଟ୍ ମଧ୍ୟରେ ସମ୍ପୃକ୍ତ ପରୀକ୍ଷାର୍ଥୀ ବନ୍ଧା ହେବେ।

ଏହାବ୍ୟତୀତ ଚଳିତବର୍ଷ ପରୀକ୍ଷାରେ ପରୀକ୍ଷାକେନ୍ଦ୍ରକୁ ମୋବାଇଲ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯିବ। ପରୀକ୍ଷାକେନ୍ଦ୍ରରେ ପରୀକ୍ଷାର୍ଥଙ୍କ ସମେତ କୌଣସି ଅଧ୍ୟାପକ, ଅଧ୍ୟାପିକା ତଥା ପରୀକ୍ଷା ଦାୟିତ୍ୱରେ ଥିବା କୌଣସି ଅଧିକାରୀ ମୋବାଇଲ ଆଣିପାରିବେ ନାହିଁ। ପିଲାଙ୍କ ଲାଗି ପରୀକ୍ଷାକେନ୍ଦ୍ର ମଧ୍ୟକୁ ମୋବାଇଲ ବ୍ୟାନ କରାଯାଇଥିବା ବେଳେ ଯଦି କୌଣସି କର୍ମଚାରୀ ମୋବାଇଲ ଆଣନ୍ତି ତେବେ ତାକୁ କଲେଜର ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିବେ। ସେହିପରି ଯଦି ପରୀକ୍ଷାରକେନ୍ଦ୍ରରେ କୌଣସି କର୍ମଚାରୀ କିମ୍ବା ଅଧ୍ୟାପକ, ଅଧ୍ୟାପିକାଙ୍କ ପାଖରେ ମୋବାଇଲ ଥିବା ଧରାପଡ଼େ ତେବେ ସମ୍ପୃକ୍ତ ବ୍ୟକ୍ତି ଏବଂ କଲେଜର ଅଧ୍ୟକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।