ବରାହା ଶିକାର ହେଲା କାଳ: ଶିକାରୀଙ୍କ ଗୁଳିରେ ସହଯୋଗୀର ମୃତ୍ୟୁ, ୧୮ ଅଟକ

ରାୟଗଡ଼ା,ଏନ୍ଏନ୍ଏସ୍: କାଶୀପୁର ବ୍ଲକ୍ ଅଣ୍ଡରାକଞ୍ଚ ଥାନା ଅନ୍ତର୍ଗତ କାଳିଆଯୋଡି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର କିଛି ଲୋକ ବାରାହା ଶିକାର ଉଦ୍ଦେଶ୍ୟରେ ନିକଟ ଏକ ପାହାଡ଼ ଉପରକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ବନ୍ଧୁକରୁ ଏକ ଗୁଳି ଫୁଟି ଶିକାରୀ ଦଳ ମଧ୍ୟରୁ ଜଣଙ୍କଠାରେ ବାଜିଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଶିକାରୀ ଗୁଳିରେ ମୃତ୍ୟୁ ହେଇଥିବା ବ୍ୟକ୍ତି ଜଣଙ୍କ ହେଲେ କାଳିଆ ଯୋଡି ଗ୍ରାମର ସୁକ୍ରୁ ଝଡ଼ିଆଙ୍କର ପୁଅ ଖଗେଶ୍ୱର ଝଡ଼ିଆ (୩୬)।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ କିଛିଦିନ ଧରି ଏକ ବିରାଟ ଜଙ୍ଗଲୀ ବାରହା ଦଳ ଏହି ଅଞ୍ଚଳରେ ଉପଦ୍ରବ ଚଳାଇଥିଲା। ଏଥିରେ ଲୋକେ ଅତିଷ୍ଠ ହେଇ ମଙ୍ଗଳବାର ଦିନ ଦ୍ୱିପହରରେ ମାଇକଞ୍ଚ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଞ୍ଚଗୁମ୍ମା ଓ କାଳିଆଯୋଡି ଗ୍ରାମର ପ୍ରାୟ ୨୦ ଜଣ ଉକ୍ତ ବାରହା ଶିକାର ଉଦ୍ଦେଶ୍ୟରେ ବାହାରିଥିଲେ। ଗାଁ ପଛପାଖରେ ଥିବା ପାହାଡ଼ର ଜଙ୍ଗଲରେ ଛାନଭିନ କରିଥିଲେ। ସେଠାରେ ବାରହାର ପତ୍ତା ନମିଳିବାରୁ ଅଳ୍ପଦୂରରେ ଥିବା ମାଙ୍କଡ଼ଝୋଲା ଗ୍ରାମ ଉପରେ ଥିବା ଜଙ୍ଗଲ ଭିତରେ ଖୋଜା ଖୋଜି କରୁଥିଲେ। ଇତି ମଧ୍ୟରେ କଞ୍ଚଗୁମ୍ମା ଗ୍ରାମର ଧନସିଂ ଦିଶରୀଙ୍କର ବନ୍ଧୁକରୁ ଗୁଳି ଫୁଟି କାଳିଆ ଯୋଡି ଗ୍ରାମର ଖଗେଶ୍ୱର ଝଡ଼ିଆଙ୍କ ମୁଣ୍ଡର ପଛ ପଟେ ଲାଗିଥିଲା। ସେଠାରୁ ଗୁରୁତର ଅବସ୍ଥାରେ ଖଗେଶ୍ୱରଙ୍କୁ ଗାଁ’କୁ ଆଣୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ଖବରକୁ ଗୁପ୍ତରେ ରଖି ଉଭୟ ଗ୍ରାମବାସୀ ବୈଠକ ବସିଥିଲେ। ମୃତ ଖଗେଶ୍ୱରଙ୍କର ୪ଟି ସନ୍ତାନ ପୁଣି ବର୍ତ୍ତମାନ ତାଙ୍କ ସ୍ତ୍ରୀ ସୂବର୍ଣ୍ଣ ଝଡ଼ିଆ ଗର୍ଭବତୀ ରହିଥିବା ଦୃଷ୍ଟିରୁ ଆର୍ଥିିକ ସହାୟତା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ବୁଧବାର ସକାଳେ ଉଭୟ ଗ୍ରାମବାସୀଙ୍କର ଉପସ୍ଥିତିରେ ଶବସତ୍କାର ପାଇଁ ବନ୍ଦୋବସ୍ତ ହୋଇ ଜୁଇରେ ଶବ ରଖି ଅଗ୍ନି ସଂଯୋଗ ହେଇଯାଇଥିଲା।

ଏହି ଘଟଣା ସମ୍ପର୍କରେ ରାୟଗଡ଼ା ଏସଡିପିଓ ତପନ କୁମାର ରଥ ସୂଚନା ପାଇ ତୁରନ୍ତ ଅଣ୍ଡିରାକଞ୍ଚ ଥାନାକୁ ଶବ ଜବତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଣ୍ଡରାକଞ୍ଚ ଥାନାର ଏସଆଇ ସୁକାନ୍ତ କୁମାର ଦଳାଇଙ୍କର ନେତୃତ୍ୱରେ ଦୁଇଟି ଟିମ ଘଟଣାସ୍ଥଳରେ ପହଞ୍ଚି ଅଧାପୋଡ଼ା ଶବ ଜବତ କରିଥିଲେ। ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଉଭୟ ଗ୍ରାମର ୧୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବାବେଳେ ଖଗେଶ୍ୱରଙ୍କ ବାପା ଶୁକରୁ ଝଡ଼ିଆ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ। ଘଟଣାରେ ସମ୍ପୃକ୍ତ ଉଭୟ ଗ୍ରାମର ୧୮ ଜଣଙ୍କୁ ଅଟକ ରଖି ଅଣ୍ଡରାକଞ୍ଚ ପୁଲିସ ଅଧିକ ତଦନ୍ତ କରୁଥିବା ରାୟଗଡ଼ା ଏସପି ଡା ଶର୍ବଣ ବିବେକଏମ ସୂଚନା ଦେଇଛନ୍ତି।