ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ : ଭଗବାନ ଶ୍ରୀକୃଷ୍ଣଙ୍କ ଯାମଳାର୍ଜୁନ ଭଞ୍ଜନ, କାଳୀୟ ନାଗର ଦର୍ପ ଦଳନ ଜିଲ୍ଲାରାଜ୍ୟ By Nitidin On Jan 4, 2020 Share ବରଗଡ଼,ଏନ୍ଏନ୍ଏସ୍ : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନରେ ପହଞ୍ôଚଛି। ଗୋପପୁରରେ ୫ମ ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଶାପଗ୍ରସ୍ତ ଯାମଳାର୍ଜୁନ ଦୁଇ ଭାଇ ଉଦ୍ଧାର ହୋଇଥିବା ବେଳେ ବ୍ରହ୍ମା ଭଗବାନ ଶ୍ରୀକୃଷ୍ଣଙ୍କୁ ମୋହନ ବଂଶୀ ପ୍ରଦାନ କରିଛନ୍ତି । ସେହିପରି କାଳିନ୍ଦ୍ରୀ ହ୍ରଦକୁ ପଶି କାଳୀୟ ନାଗର ଦର୍ପକୁ ଦଳନ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । ଅନ୍ୟ ପକ୍ଷରେ ମଥୁରା ନଗରୀରେ ମହାରାଜା କଂସ ଷଡମଲ୍ଲଙ୍କ ମୁତ୍ୟୁକୁ ନେଇବିବ୍ରତ ହୋଇ ପଡିଛନ୍ତି। ଏହା ସହ ମଗଧ ରାଜା ଜରାସନ୍ଧକୁ ଯୁଦ୍ଧରେ ପରାସ୍ତ କରି ତାର ଦୁଇ କନ୍ୟାକୁ ବିବାହ କରିଛନ୍ତି ମଥୁରାଧିପତି ମହାରାଜା କଂସ। ପଞ୍ଚମ ଦିନରେ ଚିନ୍ତିତ କଂସ ରାଜ ଦରବାରରେ ନୃତ୍ୟ ଗୀତରେ ମସଗୁଲ ରହିବା ସହ କୁଷ୍ଣବଳରାମ ଦୁଇ ଭାଇଙ୍କୁ କିପରି ହତ୍ୟା କରିବେ ସେ ନେଇ ମହାମନ୍ତ୍ରୀଙ୍କ ସହ ଆଲୋଚନା କରି ନାରଦଙ୍କ ପରାମର୍ଶକ୍ରମେ କରଦ ରାଜାମାନଙ୍କୁ ଆମନ୍ତ୍ରଣ କରିବା ପାଇଁ ଯୋଜନା କରିଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳ ତଥା ଅଲୌକିକ ଶକ୍ତି ଦିନକୁ ଦିନ ଗୋପପୁର ସମେତ ଆଖ ପାଖ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି। ଆଜି କୃଷ୍ଣ ବଳରାମ ବେନୀଭାଇଙ୍କ ବାଲ୍ୟ ଲୀଳା ଅଭିନୀତ ହୋଇଥିଲା। କୃଷ୍ଣବଳରାମ ଗୋପାଳ ବାଳକଙ୍କ ସହିତ ଗୋଚାରଣ କରି ବଣଭୋଜି କରିବାର ଦୃଶ୍ୟ ବେଶ ଉପଭୋଗ୍ୟ ହୋଇପାରିଥିଲା। ଏ ଅବସରରେ ଭଗବାନ ଶ୍ରୀକୃଷ୍ଣ ସଖା ସୁଦାମଙ୍କ ଖୁଦ ଭଜା ଖାଇବା ଦୃଶ୍ୟ ହୃଦୟସ୍ୱର୍ଶୀ ହୋଇପାରିଥିଲା। ପରେ ପରେ କୃଷ୍ଣ ଦହିହାଣ୍ଡି ଭାଙ୍ଗି ଦେବାରୁ ମା’ ଯଶୋଦା କୃଷ୍ଣଙ୍କୁ ବୃକ୍ଷରେ ବାନ୍ଧି ଦେଇଥିବାବେଳେ ଭଗବାନ ଶ୍ରୀକୃଷ୍ଣ ଶାପଗ୍ରସ୍ତ ଦୁଇ ଗର୍ନ୍ଧବ ଭାଇ ଯାମଳାର୍ଜୁନଙ୍କୁ ମୁକ୍ତ କରିଛନ୍ତି। ସେହିପରି କୃଷ୍ଣଙ୍କୁ ବ୍ରହ୍ମା ମୋହନ ବଂଶୀ ପ୍ରଦାନ କରିଥିବାବେଳେ କାଳିନ୍ଦୀ ହ୍ରଦକୁ ପଦ୍ମ ଫୁଲ ତୋଳିବାକୁ ଯାଇ କାଳୀୟ ନାଗର ଦର୍ପ ଦଳନ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ। ଅନ୍ୟ ପକ୍ଷରେ ମଥୁରା ନଗରୀରେ ମହାରାଜା କଂସଙ୍କ ଅତ୍ୟାଚାର ଦିନକୁ ଦିନ ବଢିବାକୁ ଲାଗିଛି। ପାଟମନ୍ତ୍ରୀଙ୍କ ସହ ହାତୀ ପୀଠିରେ ମହାରାଜା କଂସ ନଗର ଭ୍ରମଣ ବାହାରିଥିବା ଦୃଶ୍ୟ ଯାତ୍ରାର ଅନ୍ୟତମ ଆକର୍ଷଣ ହୋଇ ପାରିଥିଲା ପଞ୍ଚମ ଦିନରେ। ସେହିପରି ମଗଧରାଜା ଜରାସନ୍ଧଙ୍କୁ କଂସଙ୍କ ସୈନ୍ୟସାମନ୍ତ ଯୁଦ୍ଧରେ ପରାସ୍ତ କରିଥିବାବେଳେ ତାଙ୍କ ଦୁଇ କନ୍ୟା ହେତି ଓ ପ୍ରହେତିକୁ ବିବାହ କରିଛି କଂସ। କାଳୀୟନାଗ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣାଗତ ହେବାପରେ ମହାରାଜା କଂସ ଚିନ୍ତିତ ହୋଇ ମହାମନ୍ତ୍ରୀ ଶତ୍ରାଜିତ ସହିତ ପରାର୍ମଶ କରିଛନ୍ତି। ମହାମନ୍ତ୍ରୀଙ୍କ ସହିତ ଆଲୋଚନା ପରେ କୃଷ୍ଣ ବଳରାମ ବେନି ଭାଇଙ୍କୁ ହତ୍ୟା କରିବା ପାଇଁ ନାରଦଙ୍କ ପରାମର୍ଶକ୍ରମେ କରଦ ରାଜାମାନଙ୍କୁ ଆମନ୍ତ୍ରଣ କରିଛନ୍ତି ମହାରାଜା କଂସ। ସେହିପରି ନିଜକୁ ଚିନ୍ତାମୁକ୍ତ କରିବା ପାଇଁ ରାଜ ଦରବାରରେ ନୃତ୍ୟ ଗୀତରେ ମସଗୁଲ ହୋଇଯାଇଛନ୍ତି। ଏଥିରେ ଶିଳ୍ପୀ କଳା ନିକେତନ କଟକ , ସଂଗମ ଭବାନୀପାଟଣା, ଜୟ ମା’ ଦୁର୍ଗା କଳାପରିଷଦ ମୁରିବାହାଲ, ବଉଳି କଳାପରିଷଦ ବୌଦ, ଜୁଡାଝଲକା ବଲାଙ୍ଗିର, ଝଙ୍କାର ମ୍ୟୁଜିକ ପାଟଣାଗଡ, ଅଷ୍ଟଭୁଜା ଗୋଟିପୁଅ ନୃତ୍ୟ ପୁରୀ, ସରଗମ୍ କଳାପରିଷଦ ବାମରା , କୁଠିଶାଲ ଅତାବିରା, ବେନେର ମୁହୁରିଆ କଳାପରିଷଦ ବଲାଙ୍ଗିର, ଛଉ ନୃତ୍ୟ ପୁରଲିଆର କଳାକାରମାନେ ରାଜଦରବାର ଏବଂ ରଙ୍ଗମହଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନୁରୂପ ଭାବେ ଚକ୍ରପାଣି ସେଠ ଏବଂ ତେଜରାଜ ମହାପାତ୍ରଙ୍କ ସଂଚାର ସହ ପଞ୍ଚବାଦ୍ୟ ବରଗଡ଼, ଦିବ୍ୟରୂପା କଳାପରିଷଦ ବରଗଡ଼, ଉମାକାନ୍ତ ବେହେରା ଏବଂ ଗୃପ ବଲାଙ୍ଗିର , ଶିଳ୍ପୀ କଳାନିକେତନ କଟକ, କୁଠିଶାଲା ଅତାବିରାର କଳାକାରମାନେ ଗୋପପୁରରେ ନୃତ୍ୟଗୀତ ପରିବେଷଣ କରିଥିଲେ । ଧନୁଯାତ୍ରାର ଷଷ୍ଠ ଦିନ ରବିବାର କୃଷ୍ଣବଳରାମ ବେନୀଭାଇଙ୍କୁ ହତ୍ୟା କରିବା ପାଇଁ କରଦ ରାଜା ମାନଙ୍କୁ ନେଇ ମହାରାଜା କଂସ ରଙ୍ଗସଭା ଆୟୋଜନ କରିବାକୁ ଥିବାବେଳେ ଗୋପପୁରରେ ବସ୍ତ୍ରହରଣ ଦୃଶ୍ୟ ଅଭିନୀତ ହେବ। Share