କେନ୍ଦ୍ରକୃଷି ଆଇନକୁ ବିରୋଧ କରି ଦିଲ୍ଲୀଗଲେ ୨୮ ଚାଷୀ

ବରଗଡ଼,ଏନ୍ଏନ୍ଏନ୍: ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ପଶ୍ଚିମଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ଏବଂ ଜୟ କିଶାନ ଆନ୍ଦୋଳନ ନେତୃତ୍ୱରେ ବରଗଡ଼ରୁ ୨୮ ଜଣ ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। କେନ୍ଦ୍ର ସରକାର ତୁରନ୍ତ କଳା କୃଷି ଆଇନୁ ସମ୍ପୃର୍ଣ୍ଣ ଭାବେ ପ୍ରତ୍ୟାହାର କରିବାକୁ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ଏବଂ ଜୟ କିଶାନ ଆନ୍ଦୋଳନ ତରଫରୁ ଦାବି କରାଯାଇଛି। ଜୟକିଶାନ ଆନ୍ଦୋଳନର ସଭାପତି ସୁଶୀଲ ସାହୁ ଏବଂ ସମ୍ପାଦକ ହର ବଣିଆଙ୍କ ନେତୃତ୍ୱରେ କିଶୋର ସାହୁ , ଲକ୍ଷ୍ମଣ ସୁନା, ଦେବେନ୍ଦ୍ର ପ୍ରଧାନ, ହିମାଂଶୁ ମହାକୁର, ସୀତାରାମ ମେହେର, କିଶୋର ସ୍ୱାଇଁ, ବିଶ୍ୱନାଥ ରଣା, ବିନୋଦ ବିହାରୀ ପଟେଲ, ଉପେନ୍ଦ୍ର ବାଗ, ବାଲକିଶୋର ଛତରଙ୍କ ସମେତ ୨୮ ଜଣ ଚାଷୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଦିଲ୍ଲୀ ଗସ୍ତ ପୂର୍ବରୁ ବରଗଡ଼ ରେଲୱେ ଷ୍ଟେସନଠାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ ସେମାନଙ୍କୁ ବିଦାୟ ଜଣାଇଥିଲେ । ଆଗାମୀ ୨୬ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଚାଷୀମାନଙ୍କ ଟ୍ରାକ୍ଟର ଶୋଭାଯାତ୍ରାରେ ଉକ୍ତ ଚାଷୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।