ଆନ୍ଦୋଳନରତ ଚାଷୀଙ୍କୁ ବଳପୂର୍ବକ ଉଠାଇନେଲା ପ୍ରଶାସନ

ବରଗଡ଼,ଏନ୍ଏନ୍ଏସ୍: ଅନଲାଇନ ଟୋକନକୁ ନେଇ ଲାଗି ରହିଥିବା ସମସ୍ୟା ଯୋଗୁଁ ଚାଷୀ ଠିକ ଭାବରେ ଧାନ ବିକ୍ରି କରିପାରୁନାହିଁ । ଯାହାକୁ ନେଇ ବରଗଡ଼ ଜିଲ୍ଲାରେ ଦିନକୁ ଦିନ ଚାଷୀ ଅସନ୍ତୋଷ ବଢ଼ିବାକୁ ଲାଗିଛି। ମଙ୍ଗଳବାର ଅତାବିରା ମାର୍କେଟ ୟାର୍ଡ ସମ୍ମୁଖ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତାରୋକ କରିବା ସହ ଆନ୍ଦୋଳନ କରିଥିଲେ ଚାଷୀ। ଜାତୀୟ ରାଜପଥରେ ଶହଶହ ବସ୍ତା ଧାନ ଗଦା କରାଯିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରୁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ଜିଲ୍ଲାର ବଳକା ସମସ୍ତ ଚାଷୀଙ୍କୁ ଅନଲାଇନ ଟୋକନ ଇସ୍ୟୁ କରାଯାଇ ବିଭିନ୍ନ ମଣ୍ଡିରେ ପଡିରହିଥିବା ଧାନ କିଣାଯିବା ଦାବିରେ ଅତାବିରା କୃଷକ ସଂଗଠନ ନେତୃତ୍ୱରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଦୀର୍ଘସମୟ ରାସ୍ତାରୋକ ଜାରି ରହିଥିବା ଏବଂ ଆଲୋଚନା ବିଫଳ ହେବାପରେ ପ୍ରଶାସନ ତରଫରୁ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ଉଠାଇ ନିଆଯାଇଥିବା ଜଣାପଡ଼ିଛି।
ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଡନସେନା, ଅତାବିରା ଆରଏମସି ସମ୍ପାଦକ ବିଶ୍ୱଜିତ ବାରିକ, ଯୋଗାଣ ଅଧିକାରୀ ଦୁର୍ଗାଚରଣ ଭେତ୍ସା ପ୍ରମୁଖ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା ତାହା ବିଫଳ ହୋଇଥିଲା। ଚାଷୀମାନେ ନିଜ ଜିଦରେ ଅଟଳ ରହିବା ସହ ଆନ୍ଦୋଳନ ଜାରି ରଖିଥିଲେ। ମଙ୍ଗଳବାର ଅପରାହ୍ଣରେ ପ୍ରଶାସନ ପୁଲିସ ସହାୟତାରେ ଆନ୍ଦୋଳନରତ ଚାଷୀମାନଙ୍କୁ ବଳପୂର୍ବକ ଉଠାଇ ନେଇଥିଲା। ବୀରେନ୍ଦ୍ର କୁମାର କର, ଟିକେଲାଲ ମିଶ୍ର, କୈଳାସ ପ୍ରଧାନ, ଅମୂଲ୍ୟ ସ୍ୱାଇଁ, ରବୀନ୍ଦ୍ର ବିଶି, କୌସ୍ତୁଭ ପ୍ରଧାନଙ୍କ ସମେତ ବହୁ ଚାଷୀ ନେତା ଆନ୍ଦୋଳନରେ ସାମିଲ ହୋଇଥିଲେ। ସେହିପରି କଂଗ୍ରେସ ନେତା ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପି ନେତା ମିଳନ ସେଠ ଆନ୍ଦୋଳନକୁ ସମର୍ଥନ ଜଣାଇ ରାସ୍ତାରୋକରେ ସାମିଲ ହୋଇଥିଲେ ।