ଆଜିଠୁ ସକାଳ ୧୦ରୁ ୨ଟା ପର୍ଯ୍ୟନ୍ତ ଦିଆଯିବ ବ୍ୟାଙ୍କ ସେବା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ରାଜ୍ୟରେ ୬୫୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହାରି ଭିତରେ ବ୍ୟାଙ୍କ ଗୁଡ଼ିକରେ ଅନେକ ଲୋକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ବ୍ୟାଙ୍କରେ ଗ୍ରାହକ ସେବା ସମୟରେ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ଣ ୨ଟା ଯାଏ ସେବା ଯୋଗାଇବେ। ବ୍ୟାଙ୍କ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ, କିନ୍ତୁ ଗ୍ରାହକ ସେବା ୨ଟା ଯାଏ ମିଳିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏବେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚାଲିବ। ଯେଉଁ ବ୍ୟାଙ୍କରେ କମ୍ ସଂଖ୍ୟକ କର୍ମଚାରୀ ଥିବେ ସେଠାରେ ଅତି କମରେ ୫ଜଣ କର୍ମଚାରୀ ରହିବାକୁ ପଡ଼ିବ।