ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ; ବ୍ୟାଙ୍କ୍‌ରେ କମୁଛି ନଗଦ ଜମା

ଆର୍‌ବିଆଇ ମାନଦଣ୍ଡ ୬୦%, ରାଜ୍ୟରେ ଜମା ୫୬%

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଧାର୍ଯ୍ୟ ଲକ୍ଷ୍ୟଠାରୁ ବ୍ୟାଙ୍କ୍‌ ଗୁଡ଼ିକରେ ନଗଦ ଜମା ଅନୁପାତ କମିଛି। ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍‌ବିଆଇ) ଦ୍ୱାରା ନିର୍ଦ୍ଧାରିତ ୬୦ ପ୍ରତିଶତ ମାନଦଣ୍ଡ ଥିବାବେଳେ ରାଜ୍ୟରେ ଏହି ଅନୁପାତ ୫୬ ପ୍ରତିଶତ କମ୍ ରହିଛି। ଫଳରେ ଏହାର ପ୍ରଭାବ ଆର୍ଥିକ ସ୍ଥିତି ଉପରେ ପଡ଼ିଛି। ଏନେଇ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ.କେ. ମୀନା ଚିନ୍ତା ପ୍ରକଟ କରିଛନ୍ତି।

ଗୁରୁବାର ୧୬୩ ତମ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ବୈଠକ ଅନୁଷ୍ଠିତ ହୋଇଥିଲା। ଭର୍ଚୁଆଲ ବୈଠକରେ ଯୋଗଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, କରୋନାର ପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି। କୋଭିଡ୍‌-୧୯ ସଂକ୍ରମଣର ଦ୍ୱିତୀୟ ଲହର ଜନସାଧାରଣଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପକାଇଛି। ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ନିରବଚ୍ଛିନ୍ନ ତଥା କ୍ରମାଗତ ଉଦ୍ୟମର ଆବଶ୍ୟକତା ରହିଛି। ଏହା ସତ୍ତ୍ୱେ ଆର୍ଥିକ କ୍ଷେତ୍ରକୁ ମଜଭୁତ କରିବା ପାଇଁ ରାଜ୍ୟ ସରକାର ୨୦୨୦-୨୧ ବର୍ଷ ତୁଳନାରେ ୨୦୨୧-୨୨ ବର୍ଷର ଶତକଡ଼ା ୨୨.୫ ପ୍ରତିଶତ ଅଧିକ ଋଣ ପ୍ରଦାନ କରିଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରଗୁଡ଼ିକ ବାର୍ଷିକ ଋଣ ଯୋଜନାରେ ୧୦୦% ଲକ୍ଷ୍ୟ ହାସଲ କରିଛନ୍ତି। କୃଷି କ୍ଷେତ୍ରରେ ବାର୍ଷିକ ଋଣ ଯୋଗାଣ ଗତବର୍ଷ ଠାରୁ ଭଲ ରହିଛି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦେଇଥିବାରୁ ଚଳିତ ବର୍ଷ ୬୦୦୨ କୋଟି ଟଙ୍କାର ଲକ୍ଷ୍ୟ ହାସଲ କରିପାରିଛନ୍ତି। ମାତ୍ର ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡ଼ିକ ଚଳିତ ଆର୍ଥିକ ବର୍ଷରେ ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲ ପାଇଁ ଅଧିକ ଉଦ୍ୟମର ଆବଶ୍ୟକତା ରହିଛି। ଏସ୍‌ଏଲ୍‌ବିସି ସେମାନଙ୍କ ନିୟନ୍ତ୍ରିତ ବ୍ୟାଙ୍କଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ଉନ୍ନୟନ କମିଶନର ପ୍ରଦୀପ ଜେନା କହିଥିଲେ, ମହାମାରୀ କରୋନା ଯୋଗୁଁ ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇଥିବାବେଳେ ବ୍ୟାଙ୍କଗୁଡ଼ିକ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍‌ ବେଳେ ନିରବଚ୍ଛିନ୍ନ ସେବା ଦେଇଆସିଛି। ରାଜ୍ୟର ପ୍ରତି ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନଥିବାରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ନଗଦ ଜମା ଅନୁପାତରେ ବୃଦ୍ଧି କରିବା ଦିଗରେ ସଂପୃକ୍ତ ବ୍ୟାଙ୍କମାନେ ଉଦ୍ୟମ କରିବା ଦରକାର। ଚଳିତ ବର୍ଷ କୃଷକ, ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସେବା ପ୍ରଦାନ କ୍ଷେତ୍ରରେ ଚମ୍ପିଅନ ବ୍ୟାଙ୍କ୍‌ଙ୍କୁ ‘ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର’ ପ୍ରଦାନ କରାଯିବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ରାଜ୍ୟ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିଛି। ଆଗାମୀ ଦିନରେ ମଧ୍ୟ ଏହା ଉତ୍ସାହପ୍ରଦ ଲକ୍ଷ୍ୟ ହାସଲ କରିବ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ.କେ. ମୀନା ନଗଦ ଜମା ଅନୁପାତ ହ୍ରାସ ହେଉଥିବା ବିଷୟକୁ ଅଧିକ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର ନଗଦ ଜମା ଅନୁପାତ ୬୦ ପ୍ରତିଶତରୁ ଅଧିକ ରହିଥିବାବେଳେ ଓଡ଼ିଶାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ଦ୍ଧାରିତ ନଗଦ ଜମା ଅନୁପାତ କମ୍ ରହିଛି। ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ଏକ ସଫ୍ଟୱେୟାର ବ୍ୟବସ୍ଥା ମାଧ୍ୟମରେ ଏସ୍‌ଏଲ୍‌ବିସିକୁ ତଥ୍ୟ ଉପଲବ୍ଧ କରାଗଲେ ପରିଚାଳନା କାର୍ଯ୍ୟ ଠିକ୍ ଭାବରେ ହୋଇପାରିବ ବୋଲି ଶ୍ରୀ ମୀନା କହିଥିଲେ।