ବ୍ୟାଙ୍କ ଦେବାଳିଆ ହେଲେ ଜମାକାରୀଙ୍କୁ ମିଳିବ ମାତ୍ର ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: କୌଣସି କାରଣରୁ ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୋଇପଡ଼େ ଏବଂ ବନ୍ଦ ହୋଇଯାଏ ତେବେ ଜମାକରୀଙ୍କୁ ବୀମା ରାଶି ବାବଦରେ କେବଳ ଏକ ଲକ୍ଷ ଟଙ୍କା ମିଳିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ସହଯୋଗୀ ଉଦ୍ୟୋଗ ଡିପୋଜିଟ୍ ଇନ୍ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ(ଡିଆଇସିଜିସି) ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ଖବରଦାତା ଏଜେନ୍ସି ପିଟିଆଇ ପକ୍ଷରୁ ସୂଚନା ଅଧିକାର ଆଇନରେ ପଚରାଯାଇଥିବା ତଥ୍ୟର ଉତ୍ତର ରଖି ଡିଆଇସିଜିସି ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କମାନଙ୍କ ସମସ୍ତ ସଞ୍ଚୟ ଯୋଜନା, ଚଳନ୍ତି ଜମା ଏବଂ କିସ୍ତିଭିତ୍ତିକ ଜମା ଯୋଜନାରେ ଜମାକାରୀମାନଙ୍କୁ ଡିଆଇସିଜିସି ପକ୍ଷରୁ ବୀମାଭୁକ୍ତ କରାଯାଇଥିବା ବେଳେ ଜଣେ ଗ୍ରାହକଙ୍କ ଜମା ରାଶି ଯେତେ ଥାଉନା କାହିଁକି , ସେମାନଙ୍କୁ କେବଳ ଏକ ଲକ୍ଷ ଟଙ୍କାର ବୀମା ରାଶି ଯୋଗାଇ ଦିଆଯିବ।

ଡିଆଇସିଜିସି ଆକ୍ଟ ,୧୯୬୧ର ଧାରା ୧୬(୧) ଅନୁଯାୟୀ ଏହି ବ୍ୟବସ୍ଥା ରହିଥିବା ବେଳେ ଜଣେ ଗ୍ରାହକଙ୍କ ମୂଳ ଜମା ଏବଂ ସୁଧ ବାବଦ ସର୍ବାଧିକ ବୀମା ଦେୟ ଏକ ଲକ୍ଷ ଟଙ୍କା ରହିବ ବୋଲି ଉପରୋକ୍ତ ସଂସ୍ଥା କହିଛି। ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟବସାୟିକ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କମାନଙ୍କ କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି।