ବେସାହାରା ପିଲାଙ୍କୁ ଥଇଥାନ ପାଇଁ ଦାବି

ବଙ୍ଗୋମୁଣ୍ଡା,ଏନ୍ଏନ୍ଏସ୍ : ଜମି ବିବାଦକୁ ନେଇ ବାପା, ମା’ଙ୍କ ହତ୍ୟା କରାଯିବା ପରେ ବେସାହାରା ହୋଇପଡ଼ିଛନ୍ତି ୪ ପୁଅ,ଝିଅ। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ତୁରେକେଲା ପଞ୍ଚାୟତ କୁଟୁରାବେଡା ଗ୍ରାମର ତ୍ରିଲୋଚନ ନାଗଙ୍କ ପରିବାରରେ ସ୍ତ୍ରୀ ସୀମା ଏବଂ ଚାରି ପୁଅ ଝିଅ ଝୁମା(୧୪),ଝୁମି(୧୪),ହିତେଶ୍ୱର(୧୦),ହୁତେଶ୍ୱର(୭) ରହୁଥିଲେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ତ୍ରିଲୋଚନ ସୀମାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀର ଝିଅ ଗୋମତୀକୁ ବଡ଼ମହେଶ୍ୱର ଗ୍ରାମରେ ବିବାହ ଦେଇଛନ୍ତି। ଜମି ବିବାଦକୁ ନେଇ ବଡ଼ ଭାଇ ତ୍ରିନାଥ ନାଗଙ୍କ ପରିବାର ସହ ମନୋମାଳିନ୍ୟ ଲାଗି ରହିଥିଲା ।

ଗ୍ରାମବାସୀ ଓ ପୁଲିସ ଉଦ୍ୟମରେ ଅନେକ ଥର ବୁଝାମୁଣା ହୋଇଥିଲା। ଏହା ସତ୍ତେ୍ୱ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଜମି ବିବାଦକୁ ନେଇ ଗତ ୫ ତାରିଖରେ ପୁତୁରା କୁଶଧ୍ୱଜ ନାଗ(୨୮) ନିର୍ମମ ଭାବେ କାକା ତ୍ରିଲୋଚନ ଏବଂ ଖୁଡ଼ି ସୀମାକୁ ହତ୍ୟା କରି ଶବକୁ ପରିତ୍ୟକ୍ତ କୂଅକୁ ଫିଙ୍ଗି ଦେଇଥିଲା। ମା’ଙ୍କୁ ଆକ୍ରମଣ ସମୟରେ ଛଡ଼ାଇବାକୁ ଯାଇ ଝିଅ ଝୁମି ଆହତ ହୋଇଥିଲେ। ବାପା ମା’ଙ୍କ ହତ୍ୟା ପରେ ୪ପୁଅ ଝିଅ ଅସହାୟ ହୋଇ ପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବେସାହାରା ୪ ପୁଅ ଝିଅଙ୍କୁ ଥଇଥାନ କରିବାକୁ ସାଧାରଣରେ ଗ୍ରାମବାସୀ ଦାବି କରିଛନ୍ତି।