ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)କୁ କେନ୍ଦ୍ରକରି ଭାରତରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରିପ୍ରେକ୍ଷୀରେ ଭାରତ ସୀମାରେ ବାଂଲାଦେଶ ମୋବାଇଲ୍ ସେବା ବନ୍ଦ କରିଛି। ଦୁଇଦେଶ ସୀମାର ପ୍ରାୟ ଏକ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ମୋବାଇଲ୍ ସେବା ସସ୍ପେଣ୍ଡ୍ କରାଯାଇଛି। ବାଂଲାଦେଶ ଦୂରସଞ୍ଚାର ନିୟନ୍ତ୍ରଣକାରୀ କମିଶନ (ବିଟିଆରସି) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ମୋବାଇଲ୍ ସେବା ଯୋଗାଣକାରୀ ସଂସ୍ଥା ଗ୍ରାମୀଣ ଫୋନ୍, ଟେଲେଟକ୍, ରୋବି ଓ ବାଂଲା ଲିଙ୍କ୍ ଉପରେ ରୋକ୍ ଲଗାଇଛନ୍ତି।
ବାଂଲାଦେଶ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଏହି ନିଷ୍ପତ୍ତି ନେଇଛି ବୋଲି ବିଟିଆର୍ସିର ଅଧ୍ୟକ୍ଷ ଜହରୁଲ ହକ୍ ଗଣମାଧ୍ୟମକୁ କହିଛନ୍ତି। ତେବେ ବାଂଲାଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅସାଦୁଜାମନ ଖାନ୍ କମଲ ଏବଂ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ ସରକାରଙ୍କ ଏ ପ୍ରକାର ନିଷ୍ପତ୍ତି ସମ୍ପର୍କରେ ଜାଣନ୍ତି ନାହିଁ ବୋଲି କହିଛନ୍ତି।