କୁରଡ଼ୋକୋଟର ଉନ୍ନତିକରଣ ପାଇଁ ବନଖଣ୍ଡ ଅଧିକାରୀଙ୍କୁ ଭେଟିଲେ ଜିଲ୍ଲା ନାଗରିକ କମିଟି

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଏସିଆର ଦ୍ୱିତୀୟ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କୁରଡ଼କୋଟ ଜଳପ୍ରପାତର ଉନ୍ନତି ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ନିମନ୍ତେ ଏହାର ଉନ୍ନତିକରଣ ନେଇ ଆଜି ଜିଲ୍ଲା ନାଗରିକ କମିଟି ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଏହି ଅବସରରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ଆଶ୍ରୟ ସ୍ଥଳୀ, ରୋଷେଇ ଗୃହ, ପିଣ୍ଡି, ଆଲୋକୀକରଣ ଓ ରାସ୍ତା ନିର୍ମାଣ ପ୍ରଭୃତି ଦାବୀ କରିଛନ୍ତି । ଜଳ ବିଦ୍ୟୁତ ଉତ୍ପାଦନର ସ୍ମାରକୀ ପାଇଁ ଏକ ମଡେଲ ଏବଂ ୱାଚ ଟାୱାର ନିର୍ମାଣ ପାଇଁ ମଧ୍ୟ ଦାବୀ କରାଯାଇଛି । ଏହାସହ ପ୍ରଧାନପାଟେଶ୍ୱରୀଙ୍କ ବିଜେ ସ୍ଥଳୀର ଉନ୍ନତିକରଣ ପାଇଁ ଦାବୀ ହୋଇଛି । ସେହିପରି ମାଙ୍କଡ଼ ଉପଦ୍ରବକୁ ହ୍ରାସ କରିବା ନିମନ୍ତେ ଜଙ୍ଗଲ ବିଭାଗ ପଦକ୍ଷେପ ନେବା ପାଇଁ କୁହାଯାଇଛି । କୁରଡ଼ୋକୋଟ ଜଳ ପ୍ରାପତର ଜଳକୁ ଯଥାଶୀଘ୍ର ନୂତନ ଭାବେ ନିର୍ମାଣ ହେଉଥିବା ଜିଲ୍ଲା ଡାକ୍ତରଖାନା ତଥା ସହରକୁ ଯୋଗାଣ ପାଇଁ ସହଯୋଗ କରିବାକୁ ଦାବୀ କରାଯାଇଛି । ନାଗରିକ କମିଟିର ଅଭିଯୋଗ ଶୁଣିବା ପରେ ବନଖଣ୍ଡ ଅଧିକାରୀ ଶ୍ରୀ ରାଓସୋ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । କୁରଡ଼ୋକୋଟ ଜଳ ପ୍ରପାତର ଉନ୍ନତି ଲାଗି ପର୍ଯ୍ୟଟନ ବିଭାଗ ସହଯୋଗରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପ୍ରେରିତ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ରାଓସୋ ପ୍ରତିନିଧି ଦଳଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ସେହିପରି ମାଙ୍କଡ଼ ଉପଦ୍ରବ ରୋକିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏହି ପ୍ରତିନିଧି ଦଳରେ କମିଟି ସଭାପତି ସୁଶୀଲ କୁମାର କପରଦାର, ଉପନଗରପାଳ ପ୍ରଜିତ କୁମାର ଭୋଜ, ଶଶାଙ୍କ ଶେଖର ଝାଙ୍କର, ଟିକେଶ୍ୱର ଗୁରୁ, ଲକ୍ଷ୍ମଣ କୁମାର ପ୍ରଧାନ, ସୁଧୀର କୁମାର କପରଦାର, କମଲ ଗୁପ୍ତା, ନରୋତ୍ତମ ସାହୁ, ସୁଶୀଲ କୁମାର କର, ଜନ୍ମଜୟ ନାୟକ, ଈଶ୍ୱର ପ୍ରସାଦ ଦାସ ଓ ଶ୍ରବଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।