ଦେବଗଡ଼,ଏନ୍ଏନ୍ଏସ୍: ବାମଣ୍ଡା କ୍ରିକେଟ କ୍ଲବର ସାଧାରଣ ପରିଷଦ ବୈଠକ ଗତକାଲି ସ୍ଥାନୀୟ କ୍ଲବ ଗୃହଠାରେ ଅନୁଷ୍ଠିତ ହୋଇଥିଲା। କ୍ଲବର ସଭାପତି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କ୍ଲବର ସମସ୍ତ ସଦସ୍ୟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ୩୧ ତମ ବାମଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହି ଟୁର୍ଣ୍ଣାମେଣ୍ଟ ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଅନୁଷ୍ଠିତ ହେବ। ଏଥିସହିତ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଖେଳାଳି ମାନେ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। କ୍ଲବର ସମ୍ପାଦକ ସୁଜିତ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଅଶୋକ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ବରିଷ୍ଠ ସଦସ୍ୟ ନବୀନ ପାଣି, କୋଷାଧ୍ୟକ୍ଷ ମୋତିଲାଲ ଶର୍ମା, ଉପସଭାପତି ସତ୍ୟ ନାରାୟଣ ପାଣିଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ୧୯୯୦ ମସିହାରୁ ବାମଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଗତବର୍ଷ କରୋନା ପାଇଁ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଥିଲା।