ଉତ୍ତର କୋରିଆ ସେନା ପରେଡ୍‌ରେ ବାଲିଷ୍ଟିକ୍ ମିସାଇଲ୍ ପ୍ରଦର୍ଶନ

ପ୍ୟୋଙ୍ଗୟାଙ୍ଗ,ଏଜେନ୍ସି : ଶନିବାର ଉତ୍ତର କୋରିଆ ସରକାରୀ ଟିିଭିରେ ପ୍ରସାରିତ ସେନା ପରେଡ୍‌ରେ ବିଶ୍ୱର ଦୀର୍ଘତମ ବାଲିଷ୍ଟିକ୍ ମିସାଇଲ୍ ପ୍ରଦର୍ଶନ କରାଯାଇଛି । ଉତ୍ତର କୋରିଆର କ୍ଷମତାସୀନ ୱାର୍କର୍ସ ପାର୍ଟିର ୭୫ତମ ଜୟନ୍ତୀ ପାଳନ ଅବସରରେ ସେନା ପରେଡ୍ ଅନୁଷ୍ଠିତ ହୋଇଥିଲା । ଦୁଇଘଣ୍ଟା କାଳ ଅନୁଷ୍ଠିତ ସେନା ଉତ୍ସବରେ ବିଶାଳ ମିସାଇଲ୍‌କୁ ଦେଖି ବିଶ୍ୱବାସୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ପରେଡ୍‌ରେ ପ୍ରଦର୍ଶିତ ମିସାଇଲ୍‌ର ପରୀକ୍ଷଣକୁ କେନ୍ଦ୍ର କରି ନାନା ଆଶଙ୍କା ପ୍ରକାଶ ପାଇଛି । ୨୦୧୭ରେ ଏହି ମିସାଇଲ୍‌ର ପରୀକ୍ଷଣ କରାଯାଇଥିଲା ବୋଲି ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଓପନ୍ ନ୍ୟୁକ୍ଲିୟର୍ ନେଟ୍‌ୱାର୍କର ଉପ-ନିର୍ଦ୍ଦେଶିକା ମେଲିସା ହାନ୍‌ହାମ୍ ଟ୍ୱିଟ୍ କରିଛନ୍ତି । ମେଲିସାଙ୍କ ମତରେ ସେନା ପରେଡ୍‌ରେ ପ୍ରଦର୍ଶିତ ତରଳ ଇନ୍ଧନ ବ୍ୟବହୃତ ବାଲିଷ୍ଟିକ୍ ମିସାଇଲ୍ ଶତ୍ରୁପକ୍ଷକୁ ମାଟିରେ ମିଶାଇ ଦେବାପାଇଁ ଯଥେଷ୍ଟ ।