ଐତିହାସିକ ବାଲିଯାତ୍ରା ଉଦଘାଟିତ

କଟକ/ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକର ଐତିହାସିକ ବାଲିଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ମହାନଦୀ ପଠାରେ ଆୟୋଜିତ ଏହି ଯାତ୍ରାକୁ ବିଧାନସଭାର ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଉଦଘାଟନ କରିଥିଲେ । ଏଥିରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୂର୍ଯ୍ୟୋଦିପୁର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସାଂସଦ ଭର୍ତୃହରି ମହତାବ ଏବଂ କଟକର ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଆଠ ଦିନ ପର୍ୟ୍ୟନ୍ତ ବାଲିଯାତ୍ରା ଚାଲିବ ।

ଚଳିତବର୍ଷ ବାଲିଯାତ୍ରାରେ ଓରମାସର ସ୍ୱତନ୍ତ୍ର ଷ୍ଟଲ୍ ସମେତ ୧୫୦୦ରୁ ଉଦ୍ଧ୍ୱର୍ ଷ୍ଟଲ ପଡିଛି । ୪ଟି ମଂଚରେ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ପ୍ରଥମ ଦିନ କେବଳ ବେଷ୍ଣବ ପାଣି ମଂଚରେ ଉଦ୍ଘାଟନୀ ଉତ୍ସବ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ହେବାକୁ ଥିବା ସାଂସ୍କୃତିକ କାର୍ୟ୍ୟକ୍ରମରେ ସୋନା ମହାପାତ୍ର ଓ ଋତୁରାଜ ମହାନ୍ତିଙ୍କଙ୍କ ସମେତ ଦଲେର ମେହେନ୍ଦୀ, କେକେ, ଇରା ମହାନ୍ତି, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଗୁଡୁଲି ରଥ, ଶୀତଲ ପାତ୍ର, ଗୁରୁ ରତିକାନ୍ତ ମହାପାତ୍ରଙ୍କୁ ଦେଖିବାକୁ ମିଳିବ ।

ଚଳିତ ଥର ପଥୋତ୍ସବ, ବାଲିଯାତ୍ରା ପଡ଼ିଆକୁ ରିକ୍ସାରେ ଯାତ୍ରା, ତାରକସୀ ଗ୍ୟାଲେରି, ନୌବାଣିଜ୍ୟ ପ୍ରଦର୍ଶନୀ, ମହାନଦୀରେ ବୋଇତ ଯାତ୍ରା, ଅସ୍ଥାୟୀ ପୋଖରୀରେ ବୋଟିଂ ବାଲିଯାତ୍ରାକୁ ଆହୁରି ଆକର୍ଷଣୀୟ କରିବ ।