ବାଲିରୋଇ ଟ୍ରିପଲ୍‌ ମର୍ଡର ମିଷ୍ଟ୍ରି ଉପରୁ ଉଠିଲା ପରଦା: ୪ ଗିରଫ 

ପରିବାର ସହ ମିଶି ସ୍ତ୍ରୀ ଓ ୨ କନ୍ୟା ସନ୍ତାନଙ୍କୁ ତଣ୍ଟି କାଟି ହତ୍ୟା କରିଥଲେ

ଦେବଗଡ଼,ଏନ୍ଏନ୍ଏସ୍ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଗତ ୧୦ତାରିଖରେ୩ଟି ଅପରିଚିତ ଅର୍ଦ୍ଧ ଗଳିତ ମୃତ ଦେହ ଉଦ୍ଧାର ଘଟଣାର ପୁଲିସ ଖୁଲାସା କରିଛି। ତେବେ ଏହା ଏକ ସୁପରିକଳ୍ପିତ ବୀଭତ୍ସହତ୍ୟାକାଣ୍ଡ ବୋଲି ଶନିବାର ବାରକୋଟ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍ପି ରାହୁଲ ଜୈନ ସୂଚନା ଦେଇଛନ୍ତି।

ଏସପି ଶ୍ରୀ ଜୈନଙ୍କ ସୂଚନା ଅନୁଯାୟୀ ବାରକୋଟ ଥାନା ଅନ୍ତର୍ଗତ ବଡ଼ତଇଲା ଗ୍ରାମର ସୋମନାଥ ପ୍ରଧାନଙ୍କ  ପୁଅ ବିକ୍ରମ ପ୍ରଧାନଙ୍କ ସହ ଗତ କିଛି ବର୍ଷ ପୂର୍ବେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଟିନା ଲେନର ନୁରୁନ ଖାଁନ୍ ଓରଫ ନିକିପ୍ରଧାନ(୨୭)ଙ୍କ ଭୁବନେଶ୍ୱର ଠାରେ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟେ କୋର୍ଟ ମ୍ୟାରେଜ କରିବା ପରେ ସେମାନଙ୍କ ଠାରୁ ୨ଟି କନ୍ୟା ସନ୍ତାନ ଜନ୍ମ ନେଇଥିଲେ। ତେବେ ସେମାନେ ଭୁବନେଶ୍ୱରରୁ କାମ ଛାଡି ବ୍ରଜରାଜନଗର ସ୍ଥିତ ନୁରୁନଙ୍କ ପୈତୃକ ଘରକୁ ଫେରି ଆସିଥିଲେ।

ନୁରୁନର ପରିବାର ଖ୍ରୀଷ୍ଟିଆନ ଧର୍ମରୁ ମୁସଲିମ ଧର୍ମକୁ ଗ୍ରହଣ କରିଥିବା ବେଳେ ବିକ୍ରମ ହିନ୍ଦୁ ସମ୍ପ୍ରଦାୟର ରହିଥିଲା। ଫଳରେ ବିକ୍ରମର ପରିବାର ଲୋକେ ବିକ୍ରମର ବିବାହକୁ ସ୍ୱୀକୃତି ଦେଇନଥିଲେ। ଅନ୍ୟପଟେ ବିକ୍ରମଙ୍କ ୨ଟି କନ୍ୟା ସନ୍ତାନ ଥିବା ସତ୍ତେ୍ ସେ ଅନ୍ୟ ଜଣେ ଯୁବତୀ ସହ ପରକୀୟା ପ୍ରୀତିରେ ମାତିଥିବାରୁ ଏ ନେଇ ବିକ୍ରମ ଏବଂ ନୁରୁନଙ୍କ ମଧ୍ୟରେ ତିକ୍ତତା ବଢ଼ି ଶେଷରେ ମାମଲା ବ୍ରଜରାଜନଗର ଥାନା  ପର୍ଯ୍ୟନ୍ତ ଯାଇଥିଲା। ତେବେ ଥାନାରେ ଆପୋଷ ମିଳାମିଶା ପରେ ଉଭୟ ବିକ୍ରମ ଓ ନୁରୁନ ପୁଣି ଥରେ ସ୍ୱାଭାବିକ ବୈବାହିକ ଜୀବନଯାପନ ପାଇଁ ନିଷ୍ପତ୍ତି ନେଇଥିଲେ।

ନୁରୁନ ବ୍ରଜରାଜ ନଗର ଅଞ୍ଚଳରେ ଏକ ବ୍ୟବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟକରୁଥିବା ବେଳେ ବିକ୍ରମର କୈାଣସି ସ୍ଥାୟୀ ନିଯୁକ୍ତି ନଥିଲା। ଫଳରେ ବିକ୍ରମକୁ କୌଣସି ସ୍ଥାୟୀ ରୋଜଗାର ପାଇଁ ବ୍ୟବସ୍ଥା କରିବାକୁ ଯାଇ ନୁରୁନ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀରୁ ଲକ୍ଷାଧିକ ଟଙ୍କା ଋଣ କରି ବିକ୍ରମକୁ ଦେଇଥିଲେ ମଧ୍ୟ ବିକ୍ରମ ସେ ଅର୍ଥର  ସଠିକ୍‌ ବିନିଯୋଗ କରିନଥିଲା। ପରେ ବିକ୍ରମ ସ୍ତ୍ରୀ ନୁରୁନଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିବାବେଳେ ବିକ୍ରମର ପରିବାର ଲୋକେ ଏହାକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରିଥିଲେ।

ଗତ ଅକ୍ଟୋବର ୧୬ତାରିଖ ଦିନ ବିକ୍ରମର ବାପା ସୋମନାଥ ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ତଥା ବିକ୍ରମର ମା’ ରୂପେଲି ପ୍ରଧାନ, ସେନା ବିଭାଗରେ କାର୍ଯ୍ୟରତ ବିକ୍ରମର ଭାଇ ଚିନ୍ମୟ ପ୍ରଧାନ ଏବଂ ସମ୍ପକୀୟ ଭିଣୋଇ, ପିଉସା ଓ ମାମୁଁ ନିଜ ଗାଁ ବଡ଼ତଇଲା ଠାରୁ ମାତ୍ର ୧କି.ମି ଦୂରରେ ଥିବା ବାଲିରଇଗ୍ରାମ୍ୟ ଜଙ୍ଗଲରେ ଏକ ଗାତ ଖୋଲିଥିଲେ। ଗାତ ଖୋଳିବା ପରେ ପରିବାର ଲୋକଙ୍କ ଠାରୁ ସଂକେତ ପାଇ ପୂର୍ବ ଯୋଜନା ଅନୁଯାୟୀ ବିକ୍ରମ ସ୍ତ୍ରୀ ନୁରୁନ ଓ ସାଢ଼େ ୩ ବର୍ଷର ବଡ଼ ଝିଅ ଗାୟତ୍ରୀ ଓ ୩ ମାସର ସାନ ଝିଅ କଲ୍ୟାଣୀକୁ ନିଜ ଗାଁ’କୁ ନେବା  ବାହାନାରେ ସମ୍ବଲପୁରରୁ ଏକ କାର୍ ଯୋଗେ ନିଜ ଗ୍ରାମ ନିକଟରେ ପହଞ୍ଚିବା ପରେ ଅଧା ରାସ୍ତାରୁ ରାତ୍ରି ସମୟରେ ଏକ ବାଇକ୍  ଯୋଗେ ଘରକୁ ଯିବା ବାହାନାରେ ଉକ୍ତ ଜଙ୍ଗଲରେ ଗାତ ଖୋଳିଥିବା ସ୍ଥାନ ନିକଟକୁ ନେଇଥିଲା।

ପୂର୍ବରୁ ସେଠାରେ ପ୍ରସ୍ତୁତ ହୋଇ ରହିଥିବା ଉପରୋକ୍ତ ଅଭିଯୁକ୍ତମାନେ ପ୍ରଥମେ ମା’କୋଳରୁ ୩ ମାସର କନ୍ୟା ସନ୍ତାନ କଲ୍ୟାଣୀକୁ ଛଡ଼ାଇ ନେଇ ତଣ୍ଟିକାଟି ଗାତରେ ଫିଙ୍ଗି ଦେଇଥିଲେ। ପରେ ବଡ଼ ଝିଅ ଗାୟତ୍ରୀ ଓ ନୁରୁନଙ୍କ ତଣ୍ଟିକାଟି ଗାତରେ ଅର୍ଦ୍ଧମୃତ ଅବସ୍ଥାରେ ପୋତି ସେଠାରୁ ଚାଲି ଯାଇଥିଲେ। ତେବେ ଗୋଟିଏ ଗାତରେ ୩ଟି ମୃତ ଦେହ ପୋତିବା କାରଣରୁ ମୃତ ଦେହ ପଚି ଯିବା ପରେ ମାଟି ଉପରକୁ ଉଠି ଆସିଥିଲା। ଏହାକୁ ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ସେଠାରୁ ମୃତ ଦେହ ଉଦ୍ଧାର କରି ତଦନ୍ତ ଚଳାଇଥିଲା।

ପୁଲିସ ଏ ନେଇ ଏକ ହତ୍ୟା ମାମଲା ଋଜୁ କରି ଫରେନ୍‌ସିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ଏହି ଟ୍ରିପଲ୍‌ ମର୍ଡର ଘଟଣାର ପର୍ଦ୍ଦାଫାସ୍‌ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଦେବଗଡ଼ ଏସ୍‌ପି ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦେବଗଡ଼ ଏସଡିପିଓ ସୁଲେମାନ ଏକ୍କା ଓ ବାରକୋଟ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ବାରକୋଟ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ଘଟଣାର ଅହୋରାତ୍ର ତଦନ୍ତ କରି ମାତ୍ର ୧୨ଦିନ ମଧ୍ୟରେ ଜଟିଳ ମାମଲାର ପର୍ଦ୍ଦାଫାସ୍‌ କରିବା ସହ ଅଭିଯୁକ୍ତମାନଙ୍କୁ ଗତକାଲି ଗିରଫ କରିବାରେ ସଫଳ ହୋଇଥିଲେ।

ତେବେ ଏହି ଘଟଣାରେ ସମ୍ପୃକ୍ତ ସେନା ବିଭାଗରେ କାର୍ଯ୍ୟରତ ଅଭିଯୁକ୍ତ ବିକ୍ରମର ଭାଇ ଚିନ୍ମୟ ଫେରାର ରହିଛି। ଆଜି ଗିରଫ ଅଭିଯୁକ୍ତ ୪ଜଣଙ୍କୁ ବାରକୋଟ ଥାନା ପୁଲିସ ଦଫା- ୩୦୨, ୧୨୦(ବି), ୨୧ ଓ ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରିଥିଲା। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି