ଅନ୍ଧକାର ମଧ୍ୟରେ ବାଲିମେଳାର ପୋଟେରୁ ବ୍ୟାରେଜ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନାଗିରି ଜିଲ୍ଲା ବାଲିମେଳା ସଦରଠାରୁ ମାତ୍ର ୫କିମି ଦୂରରେ ଥିବା ଇରିଗେସନ ବିଭାଗ ପୋଟେରୁ ବ୍ୟାରେଜ ଆଜିକୁ ଦୀର୍ଘ ୪ମାସରୁ ଉର୍ଦ୍ଧ ସମୟ ଧରି ଅନ୍ଧକାର ମଧ୍ୟରେ ରହିଛି। ଏହି ବ୍ୟାରେଜଟି ଅନ୍ଧକାର ମଧ୍ୟରେ ଥିବାରୁ ଲୋକଙ୍କ ଯାତାୟତରେ ବହୁ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ତେବେ ଦୀର୍ଘ ଦିନ ଧରି ଉକ୍ତ ବ୍ୟାରେଜଟି କାହିଁକି ଅନ୍ଧକାର ମଧ୍ୟରେ ରହିଛି ତା’ର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ। ଅନ୍ଧକାର ରହିଥିବା ହେତୁ ଏଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ରାତ୍ରି ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାତ୍ରି ସମୟରେ ତାଙ୍କ ପକ୍ଷରେ ଡ୍ୟୁଟି କରିବା କଷ୍ଟକର ହୋଇପଡୁଛି। ଏହାସହ ଏହି ଅନ୍ଧକାରର ସୁଯୋଗ ନେଇ ବହୁ ଅସାମାଜିକ ବ୍ୟକ୍ତି ଆସି ରାତି ତମାମ ମଦ୍ୟପାନ କରୁଛନ୍ତି। ସେହି ବାଟ ଦେଇ ମହିଳା ଯିବାକୁ ଭୟ କରୁଛନ୍ତିି। ଏଥିସହିତ ଏହି ବାଟଟି ଗଞ୍ଜେଇ ଚୋରା ଚାଲଣକାରୀଙ୍କ ମୁଖ୍ୟବାଟ ହେଉଥିବାରୁ ସେମାନେ ଏହି ଅନ୍ଧକାରର ସୁଯୋଗ ନେଇ ଗଞ୍ଜେଇ ଚାଲଣ କରିବାରେ ସକ୍ଷମ ହେଉଛନ୍ତି। ଏହି ଡ୍ୟାମକୁ ଆସୁଥିବା ମତ୍ସଜୀବୀମାନେ ମଧ୍ୟ ନାନାଦି ଅସୁବିଧା ଭୋଗୁଛନ୍ତି। ପୂର୍ବରୁ ଏହି ଅଞ୍ଚଳ ଆଲୋକିତ ରହୁଥିବା ହେତୁ ରାତ୍ରି ସମୟରେ ସେମାନେ ଦେଶୀ ଡଙ୍ଗା ମାଧ୍ୟମରେ ମାଛ ଧରିବାରେ ସକ୍ଷମ ହେଉଥିଲେ। ବର୍ତ୍ତମାନ କିନ୍ତୁ ଅନ୍ଧକାର ମଧ୍ୟରେ ଏହି ବ୍ୟାରେଜ ରହୁଥିବା ହେତୁ ଭୟରେ ସେମାନେ ଡ୍ୟାମ ମଧ୍ୟକୁ ଯାଉନଥିବା ଦେଖିବାକୁ ମିଳୁଛି। ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥାଟି ହେଉଛି, ଯେଉଁ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରରୁ ରାଜ୍ୟ ତଥା ବାହାର ରାଜ୍ୟରେ ସମସ୍ତ ଅଞ୍ଚଳକୁ ବିଦ୍ୟୁତ ଯୋଗା ହେଉଛି ସେଠାରେ ବିଦ୍ୟୁତ ନାହିଁ। ତେବେ କାହିଁକି ଏଯାଏଁ ବାଲିମେଳା ଇରିଗେସନ ବିଭାଗ ଚୁପ ରହିଛି ତାହାର କାରଣ ଅସ୍ପଷ୍ଟ ରହିଛି। ତେଣୁ ତୁରନ୍ତ ଏହି ବ୍ୟାରେଜ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ନିମନ୍ତେ ବିଭିନ୍ନ ମହଲରେ ଦାବି ହେଉଛି।