ବାଲେଶ୍ୱର,ଏନ୍ଏନ୍ଏସ୍: ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାରେ ନୂଆମୋଡ଼ ଆସିଛି। ବୁଧବାର ଦିନ ବାଲ୍ୱେଶ୍ୱରର ଗୁଡ଼ିପଡା ଅଞ୍ଚଳରେ ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ବେଳେ ପାଖରେ ଏକ କଟୁରୀ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କୁ ତାଙ୍କର ପ୍ରଥମ ପତ୍ନୀ ହତ୍ୟା କରି ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ତେବେ ମୃତ ବ୍ୟକ୍ତି ଜଣଙ୍କ ମୟୁରଭଞ୍ଜ ଜିଲ୍ଲା ସଦରଥାନା ଅନ୍ତର୍ଗତ ସିରିସବଣୀ ଅଞ୍ଚଳର ବାଢ଼ା ମାରାଣ୍ଡି(୪୮)।
ବାଢ଼ା ମାରାଣ୍ଡି ୨ମାସ ଧରି ଏକ ୱାଚମ୍ୟାନ ଭାବେ ଏଫସିଆଇ କମ୍ପାନୀରେ କାର୍ଯ୍ୟକରନ୍ତି। ତେବେ ସେ ଗୁଡ଼ିପଦା ଅଞ୍ଚଳର ରମେଶଙ୍କ ଘରେ ଭଡ଼ାରେ ରହୁଥିଲେ। ତେବେ ଏହି ସମୟରେ ସେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିଲେ। ତେବେ ତାଙ୍କ ପ୍ରଥମ ପତ୍ନୀ ଓ ତାଙ୍କର ଏପ ପୁଅ ଥିବାବେଳେ ବାଢ଼ା ତାଙ୍କୁ କୌଣସି ଆର୍ଥିକ ସହାୟତା କରୁନଥିଲେ। ଫଳରେ ପ୍ରଥମ ପତ୍ନୀ ଜଣଙ୍କ ତାଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛନ୍ତି।
ସୂଚନା କ୍ରମେ ମଙ୍ଗଳବାର ବାଢ଼ାଙ୍କ ରାତ୍ରି ଡ୍ୟୁଟି ଥିବା ବେଳେ ସେ ଡ୍ୟୁଟିରେ ଯୋଗଦେଇ ଅଧାରୁ ଘରକୁ ଖାଇବା ପାଇଁ ଆସିଥିଲେ। ତେବେ ପରେ ସେ ଆଉ କାର୍ଯ୍ୟକୁ ଫେରିନଥିଲେ।
ଆଜି ସକାଳୁ ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ତାଙ୍କର ମୃତ ଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଏ ନେଇ ସହଦେବଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମକୁ ଡକାଇ ତଦନ୍ତ ଚଳାଇଥିଲେ।