ବନ୍ଧୁକ ମୁନରେ ଯୁବକଙ୍କୁ ଅପହରଣ ଓ ଲୁଟ ମାମଲାରେ ୪ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହର ମାଲପଡ଼ାର ପ୍ରଶାନ୍ତ କ୍ଷେତି ନାମକ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଅପହରଣ ଓ ଲୁଟ କରିବା ଘଟଣାରେ ଟାଉନ ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଲପଡାର ସୌମ୍ୟରଞ୍ଜନ ଦାଶ(୨୮), ସଦେଇପାଲିର ସଞ୍ଜୀବ ମୁଗ୍ରୀ(୩୮), ହାତୀଶାଲ ପଡ଼ାର ବିଶାଳ ସୁନା ଓରଫ ବିକି(୨୨) ଏବଂ ଇଛାପଡ଼ାର ଆକାଶ ଷାଣ୍ଡ(୨୫)। ସୂଚନା ଅନୁଯାୟୀ, ପ୍ରଶାନ୍ତ ରେଳଷ୍ଟେସନ ରିଙ୍ଗ ରୋଡଠାରେ ଛିଡା ହୋଇଥିବା ବେଳେ ୬ ଜଣ ଯୁବକ ଆସି ତାଙ୍କୁ ଟଙ୍କା ମାଗିଥିଲେ ।

ସେ ଟଙ୍କା ନଦେବାରୁ ତାଙ୍କୁ ଅପହରଣ କରି ସଦେଇପାଲି ବଟଲିଂ ପ୍ଲାଣ୍ଟ ନିକଟସ୍ଥ ଜଙ୍ଗଲକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ । ସକାଳେ  ପ୍ରଶାନ୍ତଙ୍କୁ ଛାଡ଼ି ଦେଇଥିଲେ। ସେମାନଙ୍କ କବଳରୁ ମୁକୁଳିବା ପରେ ପ୍ରଶାନ୍ତ ଆସି ଟାଉନ ଥାନାରେ ଅଭିଯୋଗ କରିଥିଲେ। ସେ ପିନ୍ଧିଥିବା ଏକ ୪୬ ଗ୍ରାମର ସୁନା ଚେନ, ଏକ ସୁନା ମୁଦି, ୭୫୦୦ ଟଙ୍କା ଓ ଏକ ବୁଲେଟ ମୋଟର ସାଇକେଲ ଅଭିଯୁକ୍ତମାନେ ଲୁଟି ନେଇଥିବା ପ୍ରଶାନ୍ତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ୨ ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ଠାରୁ ପୁଲିସ ଏକ ବୁଲେଟ, ଟାଙ୍ଗିଆ, ୬ଟି ମୋବାଇଲ ଫୋନ୍ ଜବତ କରିଥିବାବେଳେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।