ନକଲୀ ସୁନା ମୁଣ୍ଡା ଦେଖାଇ ୧୫ ଲକ୍ଷ ଟଙ୍କାର ଠକେଇ: ୩ ଅଭିଯୁକ୍ତ ଗିରଫ, ୩ ଫେରାର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗୀର ତଥା ଆଖପାଖ ଜିଲ୍ଲାରେ ନକଲୀ ସୁନା ମୁଣ୍ଡା ଦେଖାଇ ଏକ ଗ୍ୟାଙ୍ଗ ଦୀର୍ଘ ଏକ ବର୍ଷ ହେଲା ଲୋକଙ୍କୁ ଠକି ଚାଲିଥିଲା। ପ୍ରାୟ ୧୫ ଲକ୍ଷ ଟଙ୍କାର ଠକେଇ କରଥିବା ଏହି ଗ୍ୟାଙ୍ଗକୁ ବଲାଙ୍ଗିର ସଦର ଥାନା ପୁଲିସ କାବୁ କରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ୬ଜଣ ସଦସ୍ୟଙ୍କ ମଧ୍ୟରୁ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୩ଜଣ ଫେରାର ଅଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପାଟଣାଗଡ଼ ଥାନା ଅନ୍ତର୍ଗତ ପାଟଣାଗଡ଼ ସହର ମେହେରପଡ଼ାର ଦୀପକ ମେହେର(୨୮), କଳାକାହ୍ନୁ ମେହେର(୫୦) ଓ ଲାଠୋର ଥାନା ଅନ୍ତର୍ଗତ ଝାଲିଆଲିଟିର ରାମଦାସ ମାଝୀ ବୋଲି ସଦର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି । ସେମାନଙ୍କ ପାଖରୁ ଦେଢ଼ କିଲୋ ଓଜନର ଏକ ନକଲୀ ସୁନା ମୁଣ୍ଡା, ଏକ ଡ୍ରିଲ ମେସିନ, ୩ ଟି ମୋବାଇଲ ଫୋନ, ଏକ ମୋଟର ସାଇକଲ ଓ ୯ ହଜାର ଟଙ୍କା ପୁଲିସ ଜବତ କରିଛି। ତେବେ ଏହି ଲୁଟେରା ଦଳର ମାଷ୍ଟର ମାଇଣ୍ଡ ପାଟଣାଗଡ଼ର ଜୟକୃଷ୍ଣ ମେହେର, ଲାଠୋରର ଅର୍ଜୁନ ମେହେର ଓ ବେଲପଡ଼ାର ଶୁକ ମେହେର ଫେରାର ଅଛନ୍ତି।