୨୦୧୮ ମସିହାର ଏକ ଲୁଟ ଘଟଣାର ୩ ଅଭିଯୁକ୍ତ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍:୨୦୧୮ ମସିହାରେ ହୋଇଥିବା ଏକ ଲୁଟ ଘଟଣାର ୩ ଅଭିଯୁକ୍ତଙ୍କୁ ପୁଇଁନ୍ତଲା ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବୁର୍ଲା ଥାନା ଅନ୍ତର୍ଗତ କଦମପଡ଼ା ଗାଁର କୃପାସିନ୍ଧୁ ଘୁର୍ଲିଆ(୩୦), ବଲାଙ୍ଗିର ସହର ମାଲପଡ଼ାର ସୁର୍ଯ୍ୟଭାନୁ ଖୁଆସ(୨୩) ଓ ୟସ ମେହେର (୨୨) । ପୁଲିସ ସେମାନଙ୍କ ନିକଟରୁ ଏକ ବାଇକ ଓ ଗୋଟାଏ ମୋବାଇଲ ଫୋନ ଜବତ କରିଛି।

ପୁଲିସ କହିବା ମୁତାବକ, ୨୦୧୮ ମସିହା ନଭେମ୍ବର ୨୧ ତାରିଖ ରାତି ୧୦ଟାରେ ଗୋବିନ୍ଦ କୁମାର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ନିଜ ମୋଟର ସାଇକଲରେ ଲୋଇସିଂହାରୁ ବଲାଙ୍ଗିର ଅଭିମୁଖେ ଆସୁଥିଲେ। ସେହି ସମୟରେ ଜାମସର ଛକ ନିକଟରେ ୨ଟି ମୋଟର ସାଇକଲରେ ୫ଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିବା ସହ ଟଙ୍କା, ମୋବାଇଲ ଫୋନ ଓ ଏଟିଏମ କାର୍ଡ ଲୁଟି ନେଇଥିଲା। ଦୁଇଜଣ ଯୁବକ ବାଧ୍ୟ କରି ଗୋବିନ୍ଦଙ୍କୁ ଏକ ଏଟିଏଏମକୁ ଆଣିଥିଲେ ଓ ଟଙ୍କା କାଢ଼ିବାକୁ କହିଥିଲେ। ଆକଉଣ୍ଟର ଥିବା ୯୬୦ ଟଙ୍କାରୁ ୯୦୦ ଟଙ୍କା କାଢ଼ି ଗୋବିନ୍ଦ ଯୁବକମାନଙ୍କୁ ଦେଇଥିଲେ। ଟଙ୍କା ନେଇ ଯୁବକମାନେ ଫେରାର ହୋଇଯାଇଥିଲେ। ଉକ୍ତ ଘଟଣାରେ ପୂର୍ବରୁ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଛି।