ବଲାଙ୍ଗିର ଝିଅ ଆଇଆଇଟି ଇନ୍ଦୋରରେ ପାଇଲେ ସ୍ୱର୍ଣ୍ଣ ପଦକ

ସଇଁନ୍ତଲା,ଏନ୍ଏନ୍ଏସ୍: ଦୃଢ଼ ବିଶ୍ୱାସ ଥିଲେ ସଫଳତା ସୁନିଶ୍ଚିତ ମିଳିବ। ଏହି ଉକ୍ତିକୁ ବାସ୍ତବରେ ପ୍ରମାଣିତ କରୁଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କଅସର ପଞ୍ଚାୟତ ଡୁମେରମୁଣ୍ଡା ଗ୍ରାମର ଆରତୀ ସାମଲ(୨୩)। ଏହି ଉପାନ୍ତ ଅଞ୍ଚଳରୁ ଯାଇ ଆଇଆଇଟି ଇନ୍ଦୋରରେ କେମେଷ୍ଟ୍ରି ବିଭାଗର ସ୍ନାତକସ୍ତରରେ ଆରତୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆରତୀ ନିଜର ଏହି ସଫଳତାର ଶ୍ରେୟ ପରିବାର ଓ ସମ୍ପର୍କୀୟ ଭାଇଙ୍କୁ ଦେଇଛନ୍ତି। ଆରତୀ ନିଜର ସଫଳତା ଯାତ୍ରାକୁ ନେଇ ଏକ ଭିଡ଼ିଓ ମଧ୍ୟରେ ସେୟାର କରିଛନ୍ତି।

ଆରତୀଙ୍କ ବାପା ବିଘ୍ନରାଜ ସାମଲ ଜଣେ ଅବସରପ୍ରାପ୍ତ ସିଆରପିଏଫ ଯବାନ। ଅବସରପ୍ରାପ୍ତ ସିଆରପିଏଫ ଯବାନଙ୍କ ଝିଅ ହୋଇଥିଲେ ମଧ୍ୟ ଆରତୀଙ୍କ ବାପା ଅନେକ ଅସୁବିଧା ଏବଂ ଅର୍ଥର ଅଭାବ ମଧ୍ୟରେ ତାଙ୍କୁ ପଢେଇ ଚାଲିଛନ୍ତି। ପରିବାର ଲୋକଙ୍କ ବାରଣ ସ୍ୱତେ ଆଗକୁ ପଢ଼ିବା ପାଇଁ ଇଚ୍ଛା ରଖି ଆରତୀ ଆଇଆଇଟିରେ ପ୍ରବେଶ କରିବାର ଯୋଗ୍ୟତା ହାସଲ କରିଥିଲେ। ଆରତୀ ଆଗକୁ ଜଣେ ବୈଜ୍ଞାନିକ ହୋଇ ଦେଶ ପାଇଁ କିଛି କରିବାର ଆଶା ରଖିଛନ୍ତି। ତେବେ ଆରତୀଙ୍କ ଭଳି ଜଣେ କୃତୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରିବାର ଲୋକେ ନିବେଦନ କରିଛନ୍ତି।