ବାଲାକୋଟ ଏୟାର ଷ୍ଟ୍ରାଇକ ବାର୍ଷିକୀ: ଅମିତ ଶାହା ଏବଂ ରାଜନାଥ ସିଂଙ୍କ ଆଇଏଏଫର ବୀରତ୍ୱକୁ ପ୍ରଶଂସା

ନୂଆଦିଲ୍ଲୀ,ଏଜେନ୍ସି: ଆଜି ବାଲାକୋଟ ଏୟାର ଷ୍ଟ୍ରାଇକକୁ ଦୁଇ ବର୍ଷ ପୂରିଛି। ୨୬ ଫେବୃଆରୀ ୨୦୧୯ରେ ଭାରତୀୟ ବାୟୁସେନାର ଯବାନମାନେ ପାକିସ୍ତାନ ସୀମାରେ ପ୍ରବେଶ କରି ବାଲାକୋଟରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦଙ୍କ କ୍ୟାମ୍ପକୁ ଧ୍ୱଂସ କରିଦେଇଥିଲେ। ୧୪ ଫେବୃଆରୀ ୨୦୧୯ରେ ପୁଲୱାମା ଆକ୍ରମଣ ପ୍ରତିବାଦରେ ଭାରତ ପାକିସ୍ତାନ ଉପରେ ଏହି ଏୟାର ଷ୍ଟ୍ରାଇକ୍ କରିଥିଲା। ପୁଲୱାମା ଆକ୍ରମଣରେ ଭାରତର ୪୦ ଯବାନ ସହିଦ ହୋଇଥିଲେ ଏବଂ ୭୦ ରୁ ଅଧିକ ଆହତ ହୋଇଥିଲେ। ଆଜି ବାଲାକୋଟ ଏୟାର ଷ୍ଟ୍ରାଇକର ବାର୍ଷିକୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନାର ବୀରତ୍ୱକୁ ଅଭିନନ୍ଦନ ଜଣାଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା:-
ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୧୯ ମସିହାରେ, ଏହି ଦିନ, ଭାରତୀୟ ବାୟୁସେନା ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଥିଲା ଏବଂ ନୂତନ ଭାରତର ଆତଙ୍କବାଦ ବିରୋଧରେ ଏହାର ନୀତି ସ୍ପଷ୍ଟ କରିଥିଲା। ମୁଁ ପୁଲୱାମାର ଆକ୍ରମଣରେ ସହିଦ ଯବାନମାନଙ୍କୁ ମନେ ରଖିଛି ଏବଂ ନମସ୍କାର କରୁଛି ବାୟୁସେନାର ସାହସିକତା।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ:-
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ‘ବାଲାକୋଟ ଏୟାର ଷ୍ଟ୍ରାଇକର ବାର୍ଷିକୀ ଅବସରରେ ମୁଁ ଭାରତୀୟ ବାୟୁସେନାର ଅସାଧାରଣ ସାହସ ଏବଂ ପରାକ୍ରମକୁ ନମସ୍କାର କରୁଛି। ଆମର ସଶସ୍ତ୍ର ବାହିନୀ ପାଇଁ ଆମେ ଗର୍ବିତ, ଯାହା ଭାରତକୁ ସୁରକ୍ଷିତ ଏବଂ ଶକ୍ତିଶାଳୀ ରଖିଛି।’