ଗରିବଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ନବରଙ୍ଗପୁର ସାଂସଦ: ବିଜେପି

ଭୁବନେଶ୍ୱର, ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ଚାରିଆଡ଼େ ଲକଡାଉନ, ସଟଡାଉନ ଭଳି ବିକଳ୍ପ ବ୍ୟବସ୍ଥା କରାଯାଉଛି। କରୋନା ମହାମାରୀ ସମୟରେ ନବରଙ୍ଗପୁର ସାଂସଦ କୋଭିଡ ନିୟମକୁ ବେଖାତିର କରି ଗରିବ, ନିରୀହ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି। ଯେଉଁ ସମୟରେ ସରକାରୀ, ରାଜନୈତିକ ତଥା ଧାର୍ମିକ କାର୍ୟ୍ୟକ୍ରମ କରିବା ମନା ଓ ବିବାହ ପାଇଁ ମାତ୍ର ୫୦ ଲୋକ, ଦଶାହ ପାଇଁ ମାତ୍ର ୨୫ ଲୋକଙ୍କୁ ନେଇ କାର୍ୟ୍ୟକ୍ରମ କରିବା ପାଇଁ ସରକାର ନିୟମ କରିଛନ୍ତି, ସେ ସମୟରେ ସାଂସଦ ପେନସନ ବାଣ୍ଟିବା ନାଁରେ ଶହ ଶହ ଲୋକଙ୍କ ଜୀବନ ସହିତ ଖେଳି ବାହାଦୂରି ମାରୁଛନ୍ତି ବୋଲି ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଅଭିଯୋଗ କରିଛନ୍ତି। କରୋନା ସମୟରେ ଗରିବ ଲୋକଙ୍କ ଲାଗି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବହୁତ ସୁବିଧା ଯୋଗାଉଛନ୍ତି। ବୃଦ୍ଧାବସ୍ଥା ପେନସନ, ବିଧବା ପେନସନ ଓ ଦିବ୍ୟାଙ୍ଗ ପେନସନଧାରୀଙ୍କୁ ୧୦୦୦ଟଙ୍କା, ଜନଧନ ବ୍ୟାଙ୍କ ଖାତାଧାରୀଙ୍କୁ ୧୫୦୦ ଟଙ୍କା, ନିର୍ମାଣ ଶ୍ରମିକଙ୍କୁ ୧୫୦୦ଟଙ୍କା, ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧୀ ଯୋଜନାଧାରୀଙ୍କୁ ୨୦୦୦ଟଙ୍କା, ଉଜ୍ଜ୍ୱଳା ହିତାଧିକାରୀଙ୍କୁ ୬ମାସ ପାଇଁ ମାଗଣା ଗ୍ୟାସ ସିଲିଣ୍ଡର, ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୮ମାସ ପାଇଁ ମାଗଣା ଚାଉଳ/ଗହମ ଓ ପ୍ରତି ପରିବାରକୁ ଏହି ସମୟରେ ପ୍ରତିମାସ ୧ କେଜି ଡାଲି ଦେବାର ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।