ଦିଲ୍ଲୀ ହିଂସା: ପରେଡରେ ଭାଗନେଇ ଫସିଥିଲେ ବଜଶାଲ ନୃତ୍ୟ କଳାକାର, ଉଦ୍ଧାର କଲା ପୁଲିସ

ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ପରେଡରେ ଓଡ଼ିଶାର କଳାହଣ୍ଡିର ଲୋକ ନୃତ୍ୟ ବଜଶାଲ ସାମିଲ ହୋଇଥିଲା। ଏନେଇ ୮୦ ଜଣ ସଦସ୍ୟ ବିଶିଷ୍ଟ ଏକ ଦଳ ଓଡ଼ିଶାରୁ ଦିଲ୍ଲୀ ଯାଇଥିଲେ। ପରେଡ ସରିବା ପରେ ଏହି ସାଂସ୍କୃତିକ ଦଳ ନିଜ ଗନ୍ତବ୍ୟ ସ୍ଥଳକୁ ଫେରିବାକୁ ପ୍ରସ୍ତୁତ ହେଉଥିଲେ। ସେମାନଙ୍କ ସହ ଅନ୍ୟ ରାଜ୍ୟର କଳାକାର ମଧ୍ୟ ଥିଲେ।

ଏହି ମଧ୍ୟରେ ଚାଷୀମାନେ ଟ୍ରାକ୍ଟର ରାଲି କରି ଦିଲ୍ଲୀ ଭିତରକୁ ପଶି ବ୍ୟାପକ ହିଂସା କାଣ୍ଡ କରିଥିଲେ। ଏହାପରେ ଚାଷୀଙ୍କ ଆନ୍ଦୋଳନ ଲାଲକିଲ୍ଲାରେ ପହଞ୍ଚିଥିଲା। ଆନ୍ଦୋଳନକାରୀଙ୍କ ହଙ୍ଗାମା ଯୋଗୁଁ କଳାକାରମାନେ ସେଠାରେ ଫସି ରହିଥିଲେ। ଗତକାଲି ମଧ୍ୟାହ୍ନ ୧୨ଟାରୁ ୫ ଘଣ୍ଟା ଯାଏଁ କଳାକାରମାନେ ସେଠାରେ ଫସିରହିଥିଲେ। ପରେ ଦିଲ୍ଲୀ ପୁଲିସ ପିସିଆର ସେଠାରେ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଦରିଆଗଞ୍ଜ ମେସରେ ରଖିଥିଲା। ଏହି କଳାକାରଙ୍କ ସହ କିଛି ଛାତ୍ରଛାତ୍ରୀ ମଧ୍ୟ ଫସି ରହିଥିବା ଜଣାପଡ଼ିଛି।