ବଜରଙ୍ଗ ପୁନିଆଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପ୍ରମୁଖ ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଗୁରୁବାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଗ୍ରହଣ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଏହି ସମ୍ମାନ ସ୍ଥାନୀୟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମୁଖ୍ୟାଳୟଠାରେ ତାଙ୍କୁ ପ୍ରଦାନ କରିଛନ୍ତି।

ଗତ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଭବନଠାରେ ଏହି ପୁରସ୍କାର ପ୍ରଦାନ କରିଥିଲେ ହେଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବ୍ୟସ୍ତ ଥିବା କାରଣରୁ ବଜରଙ୍ଗ ଏହା ଗ୍ରହଣ କରିପାରି ନ ଥିଲେ। ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ବଜରଙ୍ଗ ଏହି ପୁରସ୍କାର ବାବଦରେ ୩୨ ଲକ୍ଷ ୭୦ ହଜାର ଟଙ୍କା ସହ ଉପଢ଼ୌକନ ଗ୍ରହଣ କରିଛନ୍ତି। ପୁରସ୍କାର ଗ୍ରହଣ କରିବା ପରେ ବଜରଙ୍ଗ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଜୀବନରେ ପ୍ରତିଟି କ୍ରୀଡ଼ାବିତ୍ ଏହି ପୁରସ୍କାର ପାଇବା ସକାଶେ ସ୍ୱପ୍ନ ଦେଖୁଥାଏ। ମୋ କ୍ଷେତ୍ରରେ ମଧ୍ୟ ଏଥିରେ କୌଣସି ବିଡ଼ମ୍ବନା ନାହିଁ। ବର୍ତ୍ତମାନ ମୋର ସମସ୍ତ ଫୋକସ୍ ଆଗାମୀ ଅଲିମ୍ପିକ୍ସରେ କିପରି ଭଲ ପ୍ରଦର୍ଶନ କରିବି, ତାହା ଉପରେ ରହିବ। ଖେଳରତ୍ନ ପୁରସ୍କାର ପାଇବା ପରେ ମୋର ଦାୟିତ୍ୱବୋଧ ବଢ଼ିଯାଇଛି।

ଟୋକିଓ ଅଲିମ୍ପିକ୍ସ ପାଇଁ ମୋର ପ୍ରସ୍ତୁତି ବେଶ୍ ଭଲ ଚାଲିଛି। ବର୍ତ୍ତମାନ ୧୦-୧୨ ଦିନ ହେଲା ମୁଁ ମ୍ୟାଟ୍ରେ ଅଭ୍ୟାସ କରୁଛି ଓ ଇତିମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଆଘାତଜନିତ ସମସ୍ୟାକୁ ବି ଦୂରେଇ ଦେଇପାରିଛି। ଟୋକିଓରେ ସବୁଠାରୁ ଭଲ ପ୍ରଦର୍ଶନ କରିବାକୁ ଶତପ୍ରତିଶତ ଉଦ୍ୟମ କରିବି। ଯଦି ସମସ୍ତଙ୍କ ଆଶୀର୍ବାଦ ରହେ, ତା’ହେଲେ ନିଶ୍ଚିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିବି ବୋଲି ବଜରଙ୍ଗ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ପୂର୍ବରୁ ବଜରଙ୍ଗ ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ମଧ୍ୟ ପାଇସାରିଛନ୍ତି। ୨୫ ବର୍ଷୀୟ ତାରକା ରେସଲର୍ ଚଳିତ ସିଜନ୍ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ୨୦୧୮ରେ ଏସିଆନ୍ ଗେମ୍ସ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ହାସଲ କରିବା ସହ ଚଳିତ ବର୍ଷ ଏସିଆନ୍ ଗେମ୍ସରେ ବି ଏହି ପଦକ ପାଇଛନ୍ତି। ଏହାଛଡ଼ା ସେ କଜାଖ୍ସ୍ତାନରେ ଅନୁଷ୍ଠିତ ୱାର୍ଲ୍ଡ ରେସ୍ଲିଂ ଚାମ୍ପିଅନ୍ଶିପରେ ବ୍ରୋଞ୍ଜ୍ ପଦକ ପାଇଛନ୍ତି। ଗୁରୁବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ବଜରଙ୍ଗଙ୍କ ବ୍ୟତୀତ ଟ୍ରାକ୍ ଏଣ୍ଡ୍ ଫିଲ୍ଡ ଆଥଲେଟ୍ ମହମ୍ମଦ ଅନାସ୍, ଶଟ୍ପୁଟ୍ ପ୍ରତିଯୋଗୀ ତେଜିନ୍ଦରପାଲ୍ ଟୁର୍ଙ୍କୁ ଅର୍ଜୁନ ପୁରସ୍କାର, ତେଜିନ୍ଦରପାଲ୍ଙ୍କ କୋଚ୍ ତଥା ବରିଷ୍ଠ ଆଥଲେଟିକ୍ସ କୋଚ୍ ମହିନ୍ଦର ସିଂହ ଧିଲୋଁଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିଛନ୍ତି।