ବଜରଙ୍ଗଙ୍କୁ ମିଳିଲା ୟୁକେ ଭିସା, ଟ୍ରେନିଂ ପାଇଁ ଯିବେ ଆମେରିକା

ନୂଆଦିଲ୍ଲୀ,ଏଜେନ୍ସି: ଦୀର୍ଘଦିନର ଅପେକ୍ଷା ପରେ ଷ୍ଟାର୍ ରେସ୍‌ଲର୍ ବଜରଙ୍ଗ ପୁନିଆଙ୍କୁ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ୟୁକେ ଭିସା ମିଳିଛି । ଫଳରେ ବର୍ମିଂହାମ୍ କ୍ରୀଡ଼ା ପୂର୍ବରୁ ଏବେ ଟ୍ରେନିଂ ପାଇଁ ତାଙ୍କ ଆମେରିକା ଯିବା ରାସ୍ତା ପରିଷ୍କାର ହୋଇଛି ବୋଲି ସାଇ ପକ୍ଷରୁ କୁହାଯାଇଛି । ଯେହେତୁ ଆମେରିକାର ଟ୍ରେନିଂ ବେସ୍‌ରୁ ସିଧା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି, ସେଠାରେ ଭିସା ଔପଚାରିକତା ପୂରଣ କରିବା ବଜରଙ୍ଗଙ୍କ ପାଇଁ କଷ୍ଟକର ହୋଇଥାନ୍ତା । ଏବେ ତାଙ୍କ ୟୁକେ ଭିସା ମିଳିଥିବାରୁ ବଜରଙ୍ଗ ଆମେରିକାରେ ବିନା ଦ୍ୱିଧାରେ ଟ୍ରେନିଂ କରିପାରିବେ ।

୨୮ ବର୍ଷୀୟ ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ୍ ମେଡାଲିଷ୍ଟ ବଜରଙ୍ଗ ଗତମାସରେ ଆମେରିକା ଗସ୍ତକରି ମିଚିଗାନ୍‌ ୟୁନିଭର୍ସିଟିରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଟ୍ରେନିଂ କରିବାର ଥିଲା । ମାତ୍ର ଭିସା ମିଳିବାରେ ବିଳମ୍ବ ହେବାରୁ ତାଙ୍କୁ ଭାରତରେ ରହିବାକୁ ପଡ଼ିଥିଲା ।

୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ବଜରଙ୍ଗ ଏବଂ ଅନ୍ୟତମ ରେସ୍‌ଲର୍ ଦୀପକ ପୁନିଆ ଚଳିତ ସପ୍ତାହ ଶେଷରେ ଆମେରିକା ଗସ୍ତ କରିବେ । ସେଠାକାର ମିଚିଗାନ୍ ୟୁନିଭର୍ସିଟିରେ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଟ୍ରେନିଂ ନେବାପରେ ବର୍ମିଂହାମ୍ ଗସ୍ତ କରିବେ । ଏହି ଏକ୍ସପୋଜର୍ ଟ୍ରିପ୍ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟର ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି । ଆମେରିକାର ଟ୍ରେନିଂ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମେତ ସେପ୍ଟେମ୍ବରରେ ବେଲ୍‌ଗ୍ରେଡ୍‌ରେ ହେବାକୁ ଥିବା ବିଶ୍ୱ ରେସ୍‌ଲିଂ ଚାମ୍ପିଅନ୍‌ଶିପ୍ ପାଇଁ ସହାୟତା କରିବ ।