ଭଦ୍ରକ,ଏନ୍ଏନ୍ଏସ୍: ବିପଦ ସଙ୍କେତ ଉପରେ ଥିଲେ ବି ଧୀରେଧୀରେ କମୁଛି ବୈତରଣୀର ଜଳସ୍ତର। ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଶୁକ୍ରବାର ସକାଳ ୭ଟା ସୁଦ୍ଧା ୧୮.୦୯ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ପାଣି ଖସୁଥିଲେ କିନ୍ତୁ ତଳ ମୁଣ୍ଡରେ ପାଣି ବଢ଼ିବାରେ ଲାଗିଛି। ବନ୍ୟା ଯୋଗୁଁ ବିଭିନ୍ନ ଗାଁ ରାସ୍ତାରେ ପାଣି ଚାଲୁଛି। ଭଣ୍ଡାରିପୋଖରୀ ବ୍ଲକର ୫ ପଞ୍ଚାୟତ ନପଙ୍ଗ, ଷୋଳମପୁର, ରହଣିଆ, କୁରିଗାଁ ସହ ଆହୁରି ଅନେକ ପଞ୍ଚାୟତରେ ଥିବା ଗାଁ ଗୁଡିକରେ ପାଣି ପଶିଛି। ଅନ୍ୟପଟେ ମଲ୍ଲୀମାହାରା ଓ ଗୌରାଙ୍ଗପୁର ଏସକେପ୍ ଦେଇ ବନ୍ୟା ଜଳ ଧାମନଗର ବ୍ଲକରେ ପଶୁଛି।
ଧାମନଗର ବ୍ଲକର ଦିହୁଡ଼ି ଆନନ୍ଦପୁର, ପଧାନି, ସୋହଡା, ଖଡ଼ିପଦା, ହସନାବାଦ, କୋଠାର ସହ ଆହୁରି ଅନେକ ପଞ୍ଚାୟତରେ ପାଣି ପଶିଛି। ଲୋକମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଥିବା ନଜର ଆସିଛି। ତିହିଡି ବ୍ଲକରେ କିଛି ପଞ୍ଚାୟତରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ସୂଚନା ମିଳିଛି। ଫଳରେ ହେକ୍ଟର ହେକ୍ଟର ଚାଷଜମି ବନ୍ୟା ଜଳରେ ବୁଡି ରହିଛି। ପରିସ୍ଥିତି ଉପରେ ପ୍ରଶାସନ କଡା ନଜର ରଖିଛି।