ଜନ୍ମବେଦୀରୁ ବାହୁଡିବେ ମହାବାହୁ: ରଥରେ ବିଜେ କଲେ ସୁଦର୍ଶନ

ପୁରୀ: ଜନ୍ମବେଦୀରେ ସରିଲା ଲୀଳାଖେଳା । ଆଜି ବିଶ୍ବନିୟନ୍ତାଙ୍କ ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାବାହୁ । ଶ୍ରୀଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଲୀଳାଖେଳା ସାରି ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ବାହୁଡିଯିବେ । ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ଅପେକ୍ଷା ରହିଛନ୍ତି ରଥ ତ୍ରୟ । ଚଳଚଞ୍ଚଳ ହୋଇପଡିଲାଣି ବଡଦାଣ୍ଡ । ସକାଳୁ ଧୀରେ ଧୀରେ ଭକ୍ତଙ୍କ ଭିଡ ଜମିଲାଣି । ଦିନ ୧ଟାରୁ ୨ଟା ମଧ୍ୟରେ ବେଶ ଶେଷ ହୋଇ ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରା ପହଁରା କରାଯିବ । ଏହାପରେ ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା । ତେବେ ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଶେଷ ହୋଇଛି । ଧାଡି ପହଣ୍ଡିରେ ରଥକୁ ବିଜେ କରିଛନ୍ତି ସୁଦର୍ଶନ । ଏହାପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ହେବ । ପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବିଜେ କରିବେ । ଅନ୍ୟପଟେ ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।