ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାପ୍ରଭୁ ଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡା଼ ଯାତ୍ରା ୟୁନିଟ-୫ ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ୟୁନିଟ-୬ସ୍ଥିତ ରାଧାକୃଷ୍ଣ ମନ୍ଦିର ବେଢ଼ାରେ ଥିବା ଗୁଣ୍ଡିଚା ମନ୍ଦିରରୁ ବାହାରି ଭୁବନେଶ୍ୱର କ୍ଲବ ଦେଇ ୟୁନିଟ ୫ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରଥ ଆସିଥିଲା । ସକାଳେ ମଙ୍ଗଳ ଆଳତି, ମଇଲମ, ସକାଳ ଧୂପ ସହ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଖିଚୁଡ଼ି ଭୋଗ ଖାଇବା ପରେ ବିଗ୍ରହଙ୍କୁ ପହଣ୍ଡିରେ ରଥ ଉପରକୁ ଅଣାଯାଇଥିଲା । ମହାପ୍ରଭୁଙ୍କ ଛେରା ପହଁରା ସରିବା ପରେ ଦିନ ୩ଟାରେ ରଥ ଟଣା ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା ଖୋଳ, ବିଜେ କାହାଳି ଓ ଝାଞ୍ଜ ଆଦି ବିଭିନ୍ନ ବାଦ୍ୟଯନ୍ତ୍ର ସହ ପ୍ରାୟ ୧ ହଜାରରୁ ଅଧିକ ଭକ୍ତ ରଥଟଣାରେ ଭାଗ ନେଇଥିଲେ । ସନ୍ଧ୍ୟାରେ ରଥ ମନ୍ଦିର ନିକଟରେ ପହଞ୍ଚିଥିଲା । ଆସନ୍ତାକାଲି ସନ୍ଧ୍ୟାରେ ୟୁନିଟ-୫ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପ୍ରକାଶ କରିଛି ।