ବାହାନଗା ରେଳ ଦୁର୍ଘଟଣା: ସାଂଘାତିକ ତଥ୍ୟ ଦାଖଲ କଲା ସିଆରଏସ

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ବଜାରରେ ଜୁନ୍ ୨ ତାରିଖରେ ଭୟାବହ ରେଳ ଦୁର୍ଘଟଣା ଘଟିଥିଲା । ଉକ୍ତ ଦୁର୍ଘଟଣାକୁ ନେଇ ରେଲୱେ ସୁରକ୍ଷା ଆୟୋଗ ଏବେ ରେଲୱେ ବୋର୍ଡକୁ ରିପୋର୍ଟ ହସ୍ତାନ୍ତର କରିଛି । ଏହି ରିପୋର୍ଟ ସିଗନାଲିଂ ଓ ଦୂରସଞ୍ଚାର ବିଭାଗର ଅନେକ ତ୍ରୁଟି ଆଡ଼କୁ ଇସାରା କରୁଛି । କିନ୍ତୁ ଦୁର୍ଘଟଣା ଉଦ୍ଦେଶ୍ୟମୂଳକ ଥିଲା କି ନାହିଁ ତାହା ସିବିଆଇ ତଦନ୍ତ ପରେ ଜଣାପଡ଼ିବ ।

ରେଲୱେ ଅଧିକାରୀ କହିଛନ୍ତି ଯେ, ରିଲେ ରୁମ୍ କର୍ମଚାରୀଙ୍କ ସହ ବିଭିନ୍ନ ବିଭାଗର ତ୍ରୁଟି ଥିବା ସାମ୍ନାକୁ ଆସିଛି । ସିଆରଏସ ବ୍ୟତୀତ ସିବିଆଇ ମଧ୍ୟ ଉକ୍ତ ଘଟଣାର ଯାଞ୍ଚ କରୁଛି । ସିବିଆଇ ଯାଞ୍ଚ କରୁଥିବାରୁ ଆମେ ଏବେ ରିପୋର୍ଟକୁ ସାର୍ବଜନିକ ନ କରିବାକୁ ନିଷ୍ପତ୍ତି ନେଇଛୁ । ସିବିଆଇ ଯାଞ୍ଚ ରିପୋର୍ଟ ଦାଖଲ କରିବା ପରେ ଆମେ ଉଭୟ ରିପୋର୍ଟକୁ ମିଶାଇବୁ ଏବଂ ସମ୍ପୂର୍ଣ୍ଣ ଘଟଣାକୁ ମୂଲ୍ୟାଙ୍କନ କରିବା ପରେ ଆବଶ୍ୟକ ପଦକ୍ଷେପ ନେବୁ ।

ସୂଚନାଯୋଗ୍ୟ, ବାହାନଗା ରେଳ ଟ୍ରାଜେଡିରେ ବର୍ତ୍ତମାନ ସୁଦ୍ଧା ୨୯୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୨୮୮ ଏବଂ କଟକ ଏସସିବିରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।