ବଡ଼ ଆଖଡା ମଠ ଭଙ୍ଗା ସ୍ଥଗିତ ରହିଲା

ପୁରୀରେ ଶ୍ରୀମନ୍ଦିର ସୁରକ୍ଷା ଜୋନକୁ ନେଇ ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। କିନ୍ତୁ ବଡ ଆଖଡା ମଠର ଉଚ୍ଛେଦକୁ ନେଇ ମହନ୍ତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ମଠକୁ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବାରୁ ସାଧୁସନ୍ଥ ଧାରଣା ଦେଇଥିଲେ।
ପରେ ଘଟଣାସ୍ଥଳକୁ ପୁରୀ ଉପଜିଲ୍ଲାପାଳ ଯାଇ ମଠମୁଖ୍ୟଙ୍କୁ ଆଲୋଚନା ପାଇଁ ନେଇଆସିଥିଲେ। ମଠ ଚାରିପାଶ୍ୱର୍କୁ ପୁଲିସ ଜଗି ରହିଥିଲେ।
ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ କହିଛନ୍ତି ଯେ, ସେମାନେ ମଠ ମହନ୍ତ ଓ ସାଧୁମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସଫଳ ମଧ୍ୟ ହୋଇଛି। ପ୍ରଶାସନ ଓ ମହନ୍ତ ମିଳିତ ବୈଠକ ୨ରୁ ୩ଦିନ ମଧ୍ୟରେ କରାଯାଇ ନିଷ୍ପତ୍ତି ନିଆଯିବ। ସେପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ।
ତେବେ ଯେତେବେଳେ ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଓ ଏନଡାୱେନମେଣ୍ଟ କମିଶନର ଉକ୍ତ ମଠକୁ ଅସୁରକ୍ଷିତ ବୋଲି କହିନାହାନ୍ତି, ସେତେବେଳେ ଜିଲ୍ଲାପ୍ରଶାସନ ସେମନଙ୍କ ଉପରେ ଚାପ ପକାଇ କାଗଜପତ୍ରରେ ଦସ୍ତଖତ କରିବା ପାଇଁ ବାଧ୍ୟ କରୁଛି ବୋଲି ମଠ ମହନ୍ତ ଅଭିଯୋଗ କରିଛନ୍ତି।
ବଡ ଆଖଡା ମଠ ସହିତ ବହୁତ ଐତିହ୍ୟ ଶ୍ରୀମନ୍ଦିର ସହିତ ଜଡିତ ଅଛି, ସେସବୁକୁ ବଞ୍ଚାଇ ରଖିବା ପାଇଁ ମଧ୍ୟ ମଠ ମହନ୍ତମାନେ ଦାବି କରୁଛନ୍ତି।