ଗରମ ପାଣି ଡେକଚିରେ ପଡି ଶିଶୁ କନ୍ୟା ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ବଂପରଡା ଗ୍ରାମରେ ଗତକାଲି ରାତ୍ରିରେ ରଷୋଇ ଘରେ ଥିବା ଗରମ ପାଣିରେ ପଡି ଡେକଚିରେ ଜଣେ ୪ବର୍ଷର ଶିଶୁ କନ୍ୟା ପଡ଼ି ଗୁରୁତର ହୋଇଥିବା ଜଣାପଡ଼ିଛି। ପରେ ସେଠାରୁ ତାକୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀୂ ସାଧୁବାହାଲ ଗ୍ରାମର ଯଦୁମଣୀ ବାଦୀଙ୍କ ୪ ବର୍ଷୀୟା ଶିଶୁ କନ୍ୟା ବ୍ୟୁଟି ବାଦୀ(୪) ବଂପରଡା ସ୍ଥିତ ନିଜ ଅଜା ଘରକୁ ଆସିଥିଲେ।

ତେବେ ଗତକାଲି ରାତ୍ରି ପ୍ରାୟ ସାଢେ ୯ଟା ସମୟରେ ବ୍ୟୁଟି ଘରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ଘର ରୋଷେଇ ନିକଟରେ ଥିବା ଗରମ ପାଣି ଭର୍ତ୍ତି ଡେକଚି ମଧ୍ୟରେ ପଡିଯାଇଥିଲେ। ଫଳରେ ବ୍ୟୁଟିଙ୍କ ଶରୀରର ୪୦ ଭାଗ ପୋଡିଯାଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପ୍ରଥମେ ବଂପରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଶିଶୁ କନ୍ୟାଟିକୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ମଧ୍ୟ ଶିଶୁ କନ୍ୟାଟି ଚିକିତ୍ସାଧୀନ ଥିବା ଜଣାପଡ଼ିଛି।