ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ରାଷ୍ଟ୍ର ନାୟକ ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୧ ତମ ପବିତ୍ର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସୂଚନା କେନ୍ଦ୍ର ଠାରେ ଜିଲ୍ଲା ସଂସ୍କୃତି ପରିଷଦ ସମ୍ପାଦକ ଦିଲ୍ଲୀପ ଗୁରୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବଣାଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଜେନାମଣି ସାହୁ, ବରିଷ୍ଠ ନାଗରିକ ମାର୍କଣ୍ଡେଶ୍ୱର ଶତପଥୀ, ହରିଜନ ଆଦିବାସୀ ଉନ୍ନୟନ ସଂସ୍ଥା ଏଚଏଡିଟିର ସମ୍ପାଦକ ଡକ୍ଟର ଉଇଲିୟମ ହେନେଜ,ସାମ୍ବାଦିକ ମିତ୍ରଭାନୁ ମହାପାତ୍ର ଓ ବରିଷ୍ଠ ଆଇନଜୀବୀ ମନୋଜ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ଆୟୋଜିତ କାର୍ଯ୍ୟକ୍ରମରେ ମହାନ ଜନନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଭକ୍ତିପୂତ ସମ୍ମାନ ପ୍ରଦର୍ଶନ କରିବା ସହ ବାବା ସାହେବଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସେହିପରି ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ନଗର ବିଜେପି ଅନୁସୂଚିତ ଜାତି ସେଲ ପକ୍ଷରୁ ଡକ୍ଟର ଭୀମ ରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି। ଦେବଗଡ଼ ପୌର ପରିଷଦ ଉପନଗରପାଳ ପ୍ରଜିତ କୁମାର ଭୋଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ସଭାରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସମ୍ବଲପୁର ଲୋକସଭା ଆସନ ସାଂସଦ ନୀତେଶ ଗଙ୍ଗଦେବଙ୍କ ଭାଇ ତଥା ବରିଷ୍ଠ ବିଜେପି ନେତା ରୋହିତ ଗଙ୍ଗଦେବ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଓ ଆଇନଜୀବୀ ପ୍ରଭାସ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସିନ ରହି ମହାନ ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦଳିତଙ୍କ ପାଇଁ ବାବାସାହେବ ଆମ୍ବେଦକରଙ୍କ ଅବଦାନ ଓ ସ୍ୱାଧୀନ ଭାରତର ସମ୍ବିଧାନ ନିର୍ମାଣରେ ବାବାସାହେବଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଜୟନ୍ତୀ ସଭା ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା ନଗର ପରିକ୍ରମା କରି ଜୟନ୍ତୀ ପର୍ବ ପାଳନ ସ୍ଥଳୀରେ ପହଞ୍ଚି ଥିଲେ। ସେହିପରି ଆରସିଏମ୍‌ଏସ୍‌ ସାହି ସ୍ଥିତ ଆମ୍ବେଦକର କ୍ଲବ୍ ପକ୍ଷରୁ ମଧ୍ୟ ସମ୍ବିଧାନ ପ୍ରଣେତାଙ୍କ ପବିତ୍ର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।