ପାକିସ୍ତାନରେ ତେଜିଲା ଇମ୍ରାନ ବିରୋଧୀ ଆନ୍ଦୋଳନ: ସମଗ୍ର ଦେଶକୁ ଅଚଳ କରିଦେବାକୁ ମୌଲାନା ଫଜଲୁରଙ୍କ ଧମକ

ଇସଲାମାବାଦ: ପାକିସ୍ତାନର ଧର୍ମଗୁରୁ ତଥା ରାଜନେତା ମୌଲାନା ଫଜଲର୍ ରହେମାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଇସ୍ତଫା ଦେବାପାଇଁ ଦେଇଥିବା ସମୟସୀମା ରବିବାର ରାତିରେ ଶେଷ ହେବାପରେ ସୋମବାର ସେ ସମଗ୍ର ଦେଶ ଅଚଳ କରିଦେବାକୁ ଧମକ ଦେଇଛନ୍ତି। ଜମିଆତ୍ ଉଲେମା-ଇ-ଇସଲାମ୍ ଫଜଲ୍ (ଜେୟୁଆଇ-ଏଫ୍) ନେତା ରହେମାନ ଇସଲାମାବାଦରେ ଏକ ବିରାଟ ରାଲିରେ ଉଦ୍ବୋଧନ ଦେଇ ଏଭଳି ଧମକ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ମୌଲାନାଙ୍କ ନେତୃତ୍ୱରେ ତାଙ୍କର ହଜାର ହଜାର ସମର୍ଥକ ଆଜାଦି ମାର୍ଚ୍ଚରେ ସାମିଲ ହୋଇ ଇସ୍ତଫା ଦେବାପାଇଁ ଇମ୍ରାନଙ୍କ ଉପରେ ଚାପ ପକାଇଥିଲେ। ଦୁଇଦିନ ମଧ୍ୟରେ ଇସ୍ତଫା ଦେବାକୁ ଶୁକ୍ରବାର ସମୟସୀମା ଦିଆଯାଇଥିଲା।

ଇତିମଧ୍ୟରେ ମୌଲାନା ସର୍ବଦଳୀୟ ବୈଠକ ଡାକିଛନ୍ତି। ଇମ୍ରାନ୍ ଯଦି ଇସ୍ତଫା ନ ଦିଅନ୍ତି ତେବେ ପରବର୍ତ୍ତୀ ରଣନୀତି କ’ଣ ହେବ ତାହା ଏହି ବୈଠକରେ ସ୍ଥିର କରାଯିବ। ସେ କହିଛନ୍ତି, ଆଜାଦି ମାର୍ଚ୍ଚ ଏବେ ଇସଲାମାବାଦରେ ପହଞ୍ôଚ ସେଥିରେ ୧୦ ହଜାର ଲୋକ ସାମିଲ ହୋଇଛନ୍ତି। ଏହି ଅଭିଯାନ ଇମ୍ରାନ୍ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଜାରି ରହିବ। ଦରକାର ପଡ଼ିଲେ ସମଗ୍ର ଦେଶକୁ ଅଚଳ କରିଦିଆଯିବ।

ଏହି ଆନ୍ଦୋଳନକୁ ବିରୋଧୀଦଳ ପିଏନଏଲ୍-ଏନ୍, ପିପିପି, ପାକ୍ ତୁନପ୍ପା ମିଲି ଆୱାମୀ ପାର୍ଟି ସମର୍ଥନ ଘୋଷଣା କରିଛନ୍ତି। ତେବେ ଏହି ସର୍ବଦଳୀୟ ବୈଠକରେ ପିଏମଏଲ୍-ଏନ୍ ମୁଖ୍ୟ ଶାହାବାଜ ସରିଫ୍ ଓ ପିପିପି ମୁଖ୍ୟ ବିଲାୱଲ ଭୁଟୋ ଜର୍ଦାରୀ ଯୋଗଦେବେନାହିଁ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସରକାର ସମୟରେ ଦେଶରେ ଆର୍ôଥକ ସଙ୍କଟ ଗୁରୁତର ହୋଇଥିଲାବେଳେ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ବିରୋଧୀଦଳ ତୀବ୍ର ବିରୋଧ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଇମ୍ରାନଙ୍କୁ ଗାଦିରୁ ହଟାଇବାକୁ ମୌଲାନା ଫଜଲୁର ଆଜାଦି ଅଭିଯାନ ଚଳାଇଛନ୍ତି।