ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ

ଓଡ଼ିଶାରେ ଆଉ ୮ଟି ମେଡିକାଲ କଲେଜ ପାଇଁ ପ୍ରସ୍ତାବ

ଭୁବନେଶ୍ୱର ଏମ୍ସକୁ ଦିଲ୍ଲୀ ଏମ୍ସ ସହିତ ସମତୁଲ୍ୟ କରାଯିବ

ଏମ୍ସ ପ୍ରତିଷ୍ଠାରେ ସ୍ୱର୍ଗତ ବାଜପେୟୀଙ୍କ ଅବଦାନ ଅତୁଳନୀୟ

ମଡ୍ୟୁଲାର ଓଟି, ଆଇସିୟୁ କମ୍ପେ୍ଲକ୍ସ କ୍ୟାଥୋଲାବ୍ ଓ ଫ୍ଲୁରୋସ୍କୋପି ୟୁନିଟ୍ ଉଦ୍ଘାଟିତ

୧୫୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରାଯାଇଛି

ଏମ୍ସ ଉନ୍ନତି ପାଇଁ କର୍ତ୍ତୃପକ୍ଷଙ୍କ ସହିତ ୪ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ଆଲେଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏମ୍ସ ଭୁବନେଶ୍ୱର ଉନ୍ନତି ଓ ପ୍ରଗତି ପାଇଁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଆସୁଛନ୍ତି। ଏମ୍ସ ଭୁବନେଶ୍ୱରକୁ ଦିଲ୍ଲୀ ଏମ୍ସ ସହିତ ସମତୁଲ୍ୟ କରିବା ଲାଗି ପଦକ୍ଷେପ ନିଆଯାଉଛଉି। ଏମ୍ସ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କୁ ଦେଇଥିବା ବିଭିନ୍ନ ପ୍ରସ୍ତାବ ପୂରଣ କରାଯିବ। ଦେଶରେ ଆୟୁଷ୍ମାନ ଭାରତ ଗରିବ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେଇଛି। ଓଡ଼ିଶାରେ ଗରିବ ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଚିଠି ଲେଖାଯାଇଥିଲା। ବର୍ତ୍ତମାନ ଆଉଥରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବା ଅନୁରୋଧ କରୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କରିଛନ୍ତି।

ସାରା ଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏମ୍ସ ଭୁବନେଶ୍ୱରଠାରେ ସ୍ୱର୍ଗତ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଓ ବିଭିନ୍ନ ବିଭାଗର ଉଦ୍ଘାଟନ କରି କହିଲେ ଯେ, ଦେଶରେ ଏକା ସାଙ୍ଗାରେ ୬ଟି ଏମ୍ସ ପ୍ରତିଷ୍ଠା କରିବାରେ ସ୍ୱର୍ଗତ ବାଜପେୟୀଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ।

ଭୁବନେଶ୍ୱର ଏମ୍ସ ପ୍ରତିଷ୍ଠା ଦିଗରେ ସ୍ୱର୍ଗତ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ତାଙ୍କର ଦୂରଦୃଷ୍ଟି ଓ ସାଧାରଣ ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ କେହି ଭୁଲିପାରିବେ ନାହିଁ ବୋଲି ସେ କହିଥିଲେ। କେନ୍ଦ୍ର ସରକାର ସମସ୍ତଙ୍କୁ ଉନ୍ନତ ଓ ଗୁଣାତ୍ମକ ସେବା ଯୋଗାଇଦେବା ଲାଗି ସଂକଳ୍ପବଦ୍ଧ। ଦେଶରେ ବର୍ତ୍ତମାନ ସୁଦ୍ଧା ବହୁ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଛନ୍ତି।

ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଦେଶରେ ୧ଲକ୍ଷ ୫୦ହଜାର ୱେଲନେସ୍ ସେଣ୍ଟର ଖୋଲିବାର ବ୍ୟବସ୍ଥା ରହିଛି। ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୨୫ହଜାର ସେଣ୍ଟର ନିର୍ମାଣ କରାଯାଇଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଆହୁରି ୪୦ହଜାର ସେଣ୍ଟର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୨୦୨୨ ଡିସେମ୍ବର ସୁଦ୍ଧା ସମସ୍ତ ସେଣ୍ଟର ନିର୍ମାଣ କରିବା ଲାଗି ଯୋଜନା ରହିଛି ବୋଲି ସେ କହିଛନ୍ତି। ଦେଶରେ ୧୫୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରାଯାଇଛି।

ଯାହାକି କେନ୍ଦ୍ର ସରକାରଙ୍କ ସବୁଠାରୁ ବଡ଼ ଅବଦାନ। ଆହୁରି ୭୫ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲରେ ପରିଣତ କରାଯିବ। ସେଥିମଧ୍ୟରୁ ଓଡ଼ିଶାରେ ୬ଟି ସ୍ଥାନ ପାଇଛି। ଏହା ସହିତ ପୁଣି ଆଉ ଦୁଇଟି ମେଡିକାଲ କଲେଜ ପାଇଁ ମଧ୍ୟ ପ୍ରସ୍ତାବ ରହିଛି ବୋଲି ସେ କହିଛନ୍ତି।
ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମ୍ସରେ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ମୂର୍ତ୍ତି ସ୍ଥାପିତ କରିଥିବାରୁ ଏମ୍ସ ଭୁବନେଶ୍ୱର ଓ ମହାନଦୀ କୋଇଲା କମ୍ପାନୀକୁ କୃତଜ୍ଞତା ଜଣାଇଥିଲେ। ଗତ ୨ ବର୍ଷ ତଳେ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏଠାରେ ସ୍ୱର୍ଗତ ବାଜପେୟୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଲାଗି ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ଆଜି ପୂରଣ ହୋଇଛି ବୋଲି ସେ କହିଛନ୍ତି। ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏମ୍ସରେ ୪୦ଟି ବିଭାଗ ଖୋଲାଯାଇଛି। ଓଡିଶାକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଭାରତ ସରକାର ପ୍ରତିବଦ୍ଧ। ଆଗାମୀ ଦିନରେ ଏମ୍ସ ରାଜ୍ୟ ଓଡିଶା ଏବଂ ପଡୋଶୀ ରାଜ୍ୟର ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି। ଓଡିଶାରେ ଏପର୍ଯ୍ୟନ୍ତ ଭାରତ ଆୟୁଷ୍ମାନ ଯୋଜନା ଲାଗୁ ହେଲାନାହିଁ। ଗରିବ ଲୋକଙ୍କ ବଡ ବଡ ରୋଗ ଯଥା ହୃଦରୋଗ, ଟ୍ୟୁମର, କ୍ୟାନସର ପାଇଁ ଖର୍ଚ୍ଚର ଆବଶ୍ୟକତା ଅଛି। ଭାରତ ସରକାର ଗରିବଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚର ବ୍ୟବସ୍ଥା କରିଛନ୍ତି। ମାତ୍ର ଓଡିଶା ସରକାର ଏପର୍ଯ୍ୟନ୍ତ ତାକୁ ଗ୍ରହଣ କରିନାହାନ୍ତି ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ଅନୁଭବ ମହାନ୍ତି, ସାଂସଦ ଅମର ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ଓ ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବାତ୍ମାନାବନେ ପ୍ରମୁଖ ଯୋଗ ଦେଇଥିଲେ। ସେଠାରେ ମୁଖ୍ୟ ଅତିଥି ଡା. ହର୍ଷବର୍ଦ୍ଧନ ମଡ୍ୟୁଲାର ଓଟି, ଆଇସିୟୁ କମ୍ପେ୍ଲକ୍ସ କ୍ୟାଥୋଲାବ୍ ଓ ଫ୍ଲୁରୋସ୍କୋପି ୟୁନିଟ୍ ଉଦ୍ଘାଟନ କରିଥିଲେ। ଶେଷରେ ସେଠାରେ ୪ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ଏମ୍ସର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।