ଆଲୋକରେ ଚମକିବ ଅଯୋଧ୍ୟା, ୧୨ଘାଟିରେ ୫ଲକ୍ଷ ୫୧ହଜାର ଦୀପ ଜଳିବ

ଉତ୍ତରପ୍ରଦେଶ,ଏଜେନ୍ସି: ଅଯୋଧ୍ୟାରେ ଶନିବାର ଦୀପାବଳି ପାଳନ ନିମନ୍ତେ ଦୀପ ଉତ୍ସବର ଆୟୋଜିତ ହେଉଛି । ଏ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅଯୋଧ୍ୟାର ୧୨ଟି ଘାଟରେ ୫ଲକ୍ଷ ୫୧ହଜାର ଦୀପ ଜଳାଯିବାର ଆୟୋଜନ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ୨୨୬କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।

ସନ୍ଧ୍ୟା ୬ଟାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଫିଜି ଗଣରାଜ୍ୟର ଉପସଭାପତି ଏବଂ ସାଂସଦ ବୀଣା ଭଟ୍ଟନାଗରଙ୍କ ସମେତ ମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଶ୍ରୀରାମଙ୍କ ସମ୍ପର୍କିତ ବିଭିନ୍ନ ମେଢ଼ର ଏକ ଭବ୍ୟ ଶୋଭାଯାତ୍ରା ସାକେତ ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶରୁ ଶିଳ୍ପୀ ଭାଗ ନେଇଛନ୍ତି । ଶ୍ରୀରାମ-ସୀତାଙ୍କ ରାମକଥା ପାର୍କରେ ହେଲିକପ୍ଟରରୁ ପ୍ରତୀକାତ୍ମକ ଅବତରଣ ଓ ଭରତ ମିଳନ କାର୍ୟ୍ୟକ୍ରମ ହେବ। ପରେ ରାମକଥା ପାର୍କରେ ଶ୍ରୀରାମ-ଜାନକୀଙ୍କ ପୂଜାର୍ଚ୍ଚନା, ବନ୍ଦନା, ଆରତୀ ହେବ ବୋଲି ଜଣାଯାଇଛି ।