ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ଶେଷ; ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ଶେଷ ହୋଇଛି। ଦୀର୍ଘ ୪୦ଦିନ ହେବ ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ମାମଲାରେ ଶବୁ ପକ୍ଷର ଯୁକ୍ତି ଶୁଣି ସୁପ୍ରିମକୋର୍ଟ ଶେଷରେ ରାୟକୁ ସଂରକ୍ଷିତ ରଖିଛନ୍ତି।୨୩ଦିନ ଭିତରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବ ବୋଲି ସୂଚନା ମିଳିଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଗତ ଅଗଷ୍ଟ ୬ରୁ ଲଗାତାର ଶୁଣାଣି କରୁଥିଲେ।

ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ବୁଧବାରକୁ ଶେଷ ତାରିଖ ଘୋଷଣା କରାଯାଇଥିବା ବେଳେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଶୁଣାଣି ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ଏ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ।

ସୂଚନା ଅନୁସାରେ ମଧ୍ୟସ୍ଥତାରେ କୌଣସି ବାଟ ନ ବାହାରିବାରୁ ଅଗଷ୍ଟ ୬ରୁ ଦୈନନ୍ଦିନ ଶୁଣାଣି କରାଯାଇଥିଲା। ସେହିପରି କିଛିଦିନ ହେବ ଅଯୋଧ୍ୟାର ବିବାଦୀୟ ସ୍ଥାନମାନଙ୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪୪ଧାରା ଲାଗୁ ହୋଇଛି।