କାନପୁର,ଏଜେନ୍ସି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ଗ୍ରୀନ୍ ପାର୍କରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୪ ୱିକେଟ୍ ବିନିମୟରେ ୨୫୮ ରନ୍ କରିଛି। ଏହି ମ୍ୟାଚ୍ରେ ଟେଷ୍ଟ ଡେବ୍ୟୁ କରିଥିବା ଶ୍ରେୟସ୍ ଆୟର୍ ୧୩୬ ବଲ୍ରେ ୭୫ ରନ୍ ଏବଂ ରବୀନ୍ଦ୍ର ଜାଡେଜା ୧୦୦ ବଲ୍ରେ ୫୦ ରନ୍ କରି ଅପରାଜିତ ରହିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ୧୪୫ ରନ୍ରେ ପ୍ରଥମ ୪ଟି ୱିକେଟ୍ ହରାଇଥିଲା। ମାତ୍ର ୫ମ ୱିକେଟ୍ ପାଇଁ ଆୟର୍ ଓ ଜାଡେଜା ୨୦୬ ବଲ୍ରେ ୧୧୩ ରନ୍ର ଶତକୀୟ ପାର୍ଟନର୍ଶିପ୍ କରି ଇନିଂସ୍ ସମ୍ଭାଳିଥିଲେ। ଦୁଇ ବ୍ୟାଟ୍ସମ୍ୟାନ୍ ସତର୍କତାର ସହ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବୋଲର୍ଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଜାଡେଜା ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରି ୯୭ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟ୍ରେ ଏହା ତାଙ୍କର ୧୭ତମ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଅର୍ଦ୍ଧଶତକ। ସେହିପରି ଭାରତୀୟ ମାଟିରେ ଏହା ତାଙ୍କର ୧୦ମ ଅର୍ଦ୍ଧଶତକ।
ଭାରତର ପ୍ରଥମ ୱିକେଟ୍ ୭.୫ ଓଭର୍ରେ ମୟଙ୍କ ଅଗରୱାଲ୍ଙ୍କ ରୂପରେ ପଡ଼ିଥିଲା। ମୟଙ୍ଗ ୧୩ ରନ୍ କରି କାଇଲ୍ ଜେମିସନ୍ଙ୍କ ବଲ୍ରେ ୱିକେଟ୍କିପର୍ ଟମ୍ ବ୍ଲଣ୍ଡେଲ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା ୧୩୩ ବଲ୍ରେ ୬୧ ରନ୍ ଯୋଡ଼ିଥିଲେ। ଲଞ୍ଚ୍ର ବ୍ରେକ୍ର ପରବର୍ତ୍ତୀ ଓଭର୍ରେ ଜେମିସମ୍ ଗିଲ୍ (୫୨)ଙ୍କୁ କ୍ଲିନ୍ ବୋଲ୍ଡ ଆଉଟ୍ କରି ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ସଫଳତା ଦେଇଥିଲେ। ଗିଲ୍ ୮୧ ବଲ୍ରେ ଟେଷ୍ଟ କ୍ରିକେଟ୍ରେ ନିଜର ଚତୁର୍ଥ ଅର୍ଦ୍ଧଶତକ ପୂରା କରିଥିଲେ। ଇଂଲଣ୍ଡ ଗସ୍ତ ପୂର୍ବରୁ ଷ୍ଟ୍ରେସ୍ ଫ୍ରାକ୍ଚର୍ ଯୋଗୁଁ ଦଳର ବାଦ୍ ପଡ଼ିଥିବା ଗିଲ୍ ଏହି ମ୍ୟାଚ୍ରେ ଅର୍ଦ୍ଧଶତକ କରି ଆକର୍ଷଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଯୁବ ଓପ୍ନର୍ ୭ଟି ଇନିଂସ୍ ପରେ ପ୍ରଥମ ଅର୍ଦ୍ଧଶତକ କରିଛନ୍ତି।
ଗିଲ୍ଙ୍କ ଇନିଂସ୍ ୫୨ ରନ୍ରେ ସମାପ୍ତ ହୋଇଥିବା ବେଳେ ତାଙ୍କ ବ୍ୟାଟିଂରୁ ଲାଗୁଥିବା ସେ ବଡ଼ ଇନିଂସ୍ ଖେଳିବେ ବୋଲି ଲାଗୁଥିଲା। ତେବେ ସେ ଏଠାରେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। କାନପୁରରେ ଅର୍ଦ୍ଧଶତକ କରିବାରେ ଗିଲ୍ (୨୨ ବର୍ଷ ୭୮ ଦିନ) ଭାରତର ଦ୍ୱିତୀୟ ସର୍ବକନିଷ୍ଠ ଭାରତୀୟ ହୋଇଛନ୍ତି। ପ୍ରଥମ ସ୍ଥାନରେ ଏମ୍ଏଲ୍ ଜୟସିହ୍ମା (୨୧ ବର୍ଷ ୨୮୮ ଦିନ)ଙ୍କ ନାମ ରହିଛି। ଆଉଟ୍ ପୂର୍ବରୁ ସେ ଗୋଟିଏ ଜୀବନଦାନ ମଧ୍ୟ ପାଇଥିଲେ। ତୃତୀୟ ଓଭର୍ର ତୃତୀୟ ବଲ୍ରେ ଟିମ୍ ସାଉଦି ତାଙ୍କ ବିପକ୍ଷରେ ଏଲ୍ବିଡବ୍ଲ୍ୟୁ ଅପିଲ୍ କରିଥିବା ବେଳେ ଅମ୍ପାୟାର ବିଲ୍ଙ୍କୁ ଆଉଟ୍ ଦେଇଥିଲେ। ମାତ୍ର ଅମ୍ପାୟାର ନିଷ୍ପତ୍ତି ପରେ ରିଭ୍ୟୁ ନେଇଥିଲେ ଏବଂ ବଲ୍ ବ୍ୟାଟ୍ରେ ବାଜିବା ପରେ ଗିଲ୍ଙ୍କ ପ୍ୟାଡ୍ରେ ବାଜିଥିବା ରିପ୍ଲେରୁ ସ୍ପଷ୍ଟ ଜଣାପଡ଼ିଥିଲା। ଫଳରେ ଡିଆର୍ଏସ୍ରେ ଗିଲ୍ଙ୍କୁ ବଡ଼ ଜୀବନଦାନ ମିଳିଥିଲା।
ପୂଜାରା (୨୬)ଙ୍କୁ ଆଉଟ୍ କରି ଟିମ୍ ସାଉଦି ଭାରତକୁ ୩ୟ ଧକ୍କା ଦେଇଥିଲେ। ଚତୁର୍ଥ ୱିକେଟ୍ ପାଇଁ କ୍ୟାପ୍ଟେନ୍ ଆଜିଙ୍କ୍ୟ ରାହାଣେ ଓ ଆୟର ୭୦ ବଲ୍ରେ ୩୯ ରନ୍ ଯୋଡ଼ିଥିଲେ। ଏହି ଯୋଡ଼ି କ୍ରିଜ୍ରେ ଜମି ଆସୁଥିବା ବେଳେ ଜେମିସନ୍ ରାହାଣେଙ୍କୁ ଆଉଟ୍ କରି ଯୋଡ଼ି ଭାଙ୍ଗିଥିଲେ। ତେବେ ପୂର୍ବ ବଲ୍ରେ ରାହାଣେଙ୍କୁ ଗୋଟିଏ ଜୀବନଦାନ ମିଳିଥିଲା। ଜେମିସନ୍ଙ୍କ ପ୍ରଥମ ବଲ୍ରେ ରାହାଣେଙ୍କ ବିପକ୍ଷରେ ୱିକେଟ୍କିପର୍ ବ୍ଲଣ୍ଡେଲ୍ କ୍ୟାଚ୍ ଆଉଟ୍ର ଅପିଲ୍ କରିଥିଲେ ଏବଂ ଅମ୍ପାୟାର୍ ମଧ୍ୟ ଆଉଟ୍ ଦେଇଥିଲେ। ମାତ୍ର ରାହାଣେ ଡିଆର୍ଏସ୍ର ସହାୟତା ନେଇଥିଲେ। ବଲ୍ ତାଙ୍କ ବ୍ୟାଟ୍ରେ ଲାଗିନଥିôବା ରିଭ୍ୟୁରୁ ସ୍ପଷ୍ଟ ଜଣାପଡ଼ିବା ପରେ ତାଙ୍କୁ ଜୀବନଦାନ ମିଳିଥିଲା। ମାତ୍ର ପରବର୍ତ୍ତୀ ବଲ୍ରେ ଜେମିସନ୍ ତାଙ୍କୁ ବୋଲ୍ଡ କରିଦେଇଥିଲେ। ରାହାଣେ ୬୩ଟି ବଲ୍ର ସମ୍ମୁଖୀନ ହୋଇ ୩୫ ରନ୍ କରିଥିଲେ।
କାନପୁରରେ ଭାରତୀୟ ପେସର୍ ଉମେଶ ଯାଦବ ନିଜର ୫୦ ତମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ରଚିନ୍ ରବୀନ୍ଦ୍ର ଟେଷ୍ଟ ଡେବ୍ୟୁ କରିଥିଲେ। ଟେଷ୍ଟ ଡେବ୍ୟୁ କରିବାରେ ସେ ନ୍ୟୁଜିଲାଣ୍ଡର ୨୮୨ ତମ ଖେଳାଳି ହୋଇଛନ୍ତି।