ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଗାଡ଼ପାଳ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ଉତ୍ତ୍ୟକ୍ତ ପିତା ନିଜ ୪ପୁଅ ସହ ମିଶି ନାବାଳିକା ଝିଅର ପ୍ରେମିକର ଘରେ ପଶି ଟାଙ୍ଗିଆରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ପ୍ରେମିକର ମା’ ଦରଥିଆ କୁଲୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିିଥିବା ବେଳେ ପ୍ରେମିକ ପ୍ରୀତମ କୁଲୁଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ, ଉକ୍ତ ଗ୍ରାମର ନରେନ୍ଦ୍ର ଶବରଙ୍କ ଝିଅ ସେହି ଗ୍ରାମର ପ୍ରୀତମ କୁଲୁଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଏହାକୁ ନରେନ୍ଦ୍ର ଏବଂ ତାଙ୍କ ପୁଅମାନେ ବିରୋଧ କରୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଉଭୟ ପ୍ରେମୀ ଯୁଗଳଙ୍କୁ ନରେନ୍ଦ୍ର ଦେଖି ଉତ୍ତେଜିତ ହୋଇ ପଡ଼ିଥିଲେ। ସେଥିପାଇଁ ବିଳମ୍ବିତ ରାତିରେ ଅଭିଯୁକ୍ତ ନରେନ୍ଦ୍ର ଓ ତାଙ୍କ ୪ ପୁଅ ସନ୍ତୋଷ, ସୁଦର୍ଶନ, ଧରଣୀ ଓ ଶିବ ମିଳିତ ଭାବେ ପ୍ରେମିକ ପ୍ରୀତମଙ୍କ ଘରକୁ ପଶି ତାଙ୍କୁ ଟାଣି ଆଣି ଟାଙ୍ଗିଆରେ ଆକ୍ରମଣ କରୁଥିଲେ। ଏହା ଦେଖି ପ୍ରୀତମଙ୍କ ମା’ ଦରଥିଆ କୁଲୁ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଦରଥିଆଙ୍କ ମୃତ୍ୟୁ ଘଟିଥିବାବେଳେ ପୁଅ ପ୍ରୀତମ ଗୁରୁତର ଅବସ୍ଥାରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ମା’ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅନ୍ୟପଟେ ଘରେ ଲୁଚି ରହି ଏହି ବର୍ବର କାଣ୍ଡକୁ ଆଖିରେ ଦେଖିଥିବା ପ୍ରୀତମଙ୍କ ବଡ଼ ଭଉଣୀ ପ୍ରୀୟା ଅନ୍ୟ ସମ୍ପର୍କୀୟଙ୍କୁ ସୂଚନା ଦେବାରୁ ପାଖ ପଡ଼ିଶା ସହ ସମ୍ପର୍କୀୟମାନେ ଉଭୟ ପ୍ରୀତମ ଓ ତାଙ୍କ ମା’ଙ୍କୁ ୧୦୮ ଆମ୍ବାୁଲାନ୍ସ ସାହାଯ୍ୟରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରୀତମଙ୍କ ମା’ ଦରଥିଆଙ୍କୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ପ୍ରୀତମକୁ ଅଧିକ ଚିକତ୍ସା ନିମନ୍ତେ ବୁର୍ଲା ସ୍ଥାନାନ୍ତର କରିଥିଲେ। ସୂଚନା ପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିବା ସହ ଅଭିଯୁକ୍ତ ୫ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏଥିସହିତ ଘଟଣା ପରଠାରୁ ପ୍ରେମିକାର କୌଣସି ଖୋଜ ଖବର ମିଳୁନଥିବାରୁ ପୁଲିସ ଏ ଦିଗରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।