ନବରଙ୍ଗପୁର,ଏନ୍ଏନ୍ଏସ୍: ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ସାନମସିଗାଁ ମେଡିକାଲର ମିଳିତ ଆନୁକୁଲ୍ୟରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ରଞ୍ଜନ କୁମାର ବେହେରା ସଭାପତିତ୍ୱ କରିଥିଲେ । ଏଥିର ପ୍ରମୁଖ ବକ୍ତାଭାବେ ମେଡିକାଲ୍ ଅଫିସର୍ ଶୁଭ୍ରଞ୍ଜନ ପଟ୍ଟନାୟକ ଯୋଗଦେଇ କୃମି ମଣିଷ ଶରୀରରେ କିପରି କ୍ଷତି ପହଞ୍ଚାଏ ଓ ଏହାକୁ କିପରି ଦମନ କରାଯାଇ ପାରିବ ସେବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତାଭାବେ ପ୍ରାଣୀ ବିଭାଗ ମୁଖ୍ୟ ଡା. ଅରବିନ୍ଦ କୁମାର ଓଝା ନିଜ ବୃତ୍ତଚିତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । ସମ୍ମାନିତ ବକ୍ତାଭାବେ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ଛାତ୍ରଛାତ୍ରୀଙ୍କୁ ନିଜ ଗାଁ ଓ ଆଖପାଖରେ ଯେମିତି କୌଣସି ଶିଶୁ ବା କିଶୋର ଏହି କୃମି ନାଶକ ଔଷଧ ସେବନରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ତଥା ଜାଗୃତି ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟରେ ଅଧ୍ୟୟନରତ ୧୯ ବର୍ଷ ରୁ କମ୍ ବୟସ୍କ ଛାତ୍ରଛାତ୍ରୀଙ୍କୁ ସାନମସିଗାଁ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଔଷଧ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୋନୁ ସାହୁ, ଶ୍ରବଣ କୁମାର ପୂଝାରୀ, ସୁଲୋଚନା ନାୟକ, ପଲ୍ଲବୀ ସାହୁ, ବିକ୍ରମ ଭକ୍ତ, ମୋନାଲିସା ନାଗ ଓ ସୁମନ୍ତ ବାଘେଲ୍ ଆଦି ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ । ସାନମସିଗାଁର ସ୍ୱାସ୍ଥ୍ୟକର୍ମୀ ଆଶୁତୋଷ ପାଢ଼ୀ ଓ କୃଷ୍ଣ ଚନ୍ଦ୍ର ମେହେର ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ ଦେଇଥିଲେ ।